ସନ୍ଥ ଶିରୋମଣି ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗରଜୀଙ୍କୁ ପ୍ରଣାମ

ସନ୍ଥ ଶିରୋମଣି ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗରଜୀ ମହାରାଜଜୀ ଆମମାନଙ୍କୁ ଦୁଃଖସାଗରରେ ଭସାଇ ନିକଟରେ ସମାଧି ଲାଭ କରିଛନ୍ତି। ଆଚାର୍ଯ୍ୟଜୀଙ୍କ ଜୀବନ ପ୍ରଚଣ୍ଡ ପ୍ରଜ୍ଞା, ଅସୀମ ଅନୁକମ୍ପା ଓ ମାନବ ସମାଜର ଉତ୍‌ଥାନ ପାଇଁ ଅତୁଟ ପ୍ରତିବଦ୍ଧତାରେ ସଦାସର୍ବଦା ପରିପୂର୍ଣ୍ଣ ରହିଥିଲା। ଅନେକ ବାର ତାଙ୍କ ଆଶୀର୍ବାଦ ଲାଭ କରିବାର ସୌଭାଗ୍ୟ ମତେ ପ୍ରାପ୍ତ ହୋଇଛି। ତେଣୁ ତାଙ୍କ ତିରୋଧାନରେ ମୋର ପ୍ରଭୂତ କ୍ଷତି ହୋଇଛି ଏବଂ ମୋତେ ଆଗକୁ ଆଲୋକବର୍ତ୍ତିକା ଭଳି ପଥପ୍ରଦର୍ଶନ କରୁଥିବା ଜଣେ ପ୍ରିୟ ଗୁରୁଙ୍କୁ ହରାଇବା ପରି ମୁଁ ଅନୁଭବ କରୁଛି। ମୋ ପରି ଅସଂଖ୍ୟ ଆତ୍ମାଙ୍କ ପାଇଁ ସେ ଥିଲେ ମାର୍ଗଦର୍ଶକ। ତାଙ୍କ ସ୍ନେହ, ଉଷ୍ମତା ଓ ଆଶୀର୍ବାଦ କେବଳ ଶୁଭେଚ୍ଛା ନ ଥିଲା। ଏହା ସମସ୍ତଙ୍କୁ ପ୍ରଭୂତ ଆଧ୍ୟାତ୍ମିକ ଶକ୍ତି ପ୍ରଦାନ କରୁଥିଲା। ଯେଉଁମାନେ ଆଚାର୍ଯ୍ୟ ଶିରୋମଣିଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଏହି ଅସୀମ ଶକ୍ତି ଓ ପ୍ରେରଣାକୁ ଅବଶ୍ୟ ଅନୁଭବ କରିଥିବେ।
ପୂଜ୍ୟ ଆଚାର୍ଯ୍ୟଜୀ ସଦାବେଳେ ଜ୍ଞାନ, ସମ୍ବେଦନା ଓ ସେବାର ତ୍ରିବେଣୀ ସଙ୍ଗମ ରୂପରେ ସମସ୍ତଙ୍କ ସ୍ମୃତିରେ ରହିଥିବେ। ପ୍ରକୃତରେ ସେ ଥିଲେ ଜଣେ ତପସ୍ବୀ ଓ ତାଙ୍କ ଜୀବନ ଭଗବାନ ମହାବୀରଙ୍କ ଆଦର୍ଶର ଏକ ଅନୁକରଣୀୟ ଉଦାହରଣ ଥିଲା। ତାଙ୍କର ପ୍ରତିଟି କର୍ମରେ ଜୈନ ଧର୍ମର ମୂଳ ନୀତି ପ୍ରତିଫଳିତ ହେଉଥିଲା। ନିଜ ବଚନ ଓ ଜ୍ଞାନ ବିତରଣରେ ତାହା ପରିଲକ୍ଷିତ ହେଉଥିଲା। ସଂସାରର ପ୍ରତ୍ୟେକ ପ୍ରାଣୀଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଜୈନ ଧର୍ମର ପ୍ରତିଟି ଜୀବଙ୍କ ପ୍ରତି ସମ୍ମାନର ପ୍ରତିଫଳନ ବୋଲି କୁହାଯାଇପାରେ। ସେ ସତ୍ୟର ଜୀବନ ବଞ୍ଚୁଥିଲେ- ଏହା ମଧ୍ୟ ଜୈନ ଧର୍ମର ଚିନ୍ତନ, କଥନ ଓ କାର୍ଯ୍ୟର ସାଧୁତାକୁ ପ୍ରମାଣିତ କରେ। ତାଙ୍କ ଜୀବନଶୈଳୀ ଥିଲା ସରଳ। ତାଙ୍କ ଭଳି ମହାନ୍‌ ସନ୍ଥଙ୍କ ପାଇଁ ହିଁ ଜୈନ ଧର୍ମ ଓ ଭଗବାନ ମହାବୀରଙ୍କ ଭଳି ଦିବ୍ୟାତ୍ମାଙ୍କ ପ୍ରତି ସମଗ୍ର ବିଶ୍ୱର ଶ୍ରଦ୍ଧା ଓ ସମ୍ମାନ ବୃଦ୍ଧି ପାଇଚାଲିଛି। ଜୈନବାଦ ଶୃଙ୍ଖଳାରେ ସେ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଥିଲେ ସତ, କିନ୍ତୁ ତାହା କେବଳ ସେହି ଗୋଷ୍ଠୀ ମଧ୍ୟରେ ସୀମିତ ନ ଥିଲା, ବରଂ ତାଙ୍କ ସତ୍ୟନିଷ୍ଠ ବ୍ୟକ୍ତିତ୍ୱର ପ୍ରଭାବ ଓ ବ୍ୟାପ୍ତି ସମଗ୍ର ମାନବ ସମାଜ ଉପରେ ପଡ଼ିଥିଲା। ସବୁ ଧର୍ମ, ଆସ୍ଥା ଓ ସଂସ୍କୃତିର ଲୋକମାନେ ତାଙ୍କ ନିକଟକୁ ଆସୁଥିଲେ ଏବଂ ସେମାନଙ୍କ ମନରେ ବିଶେଷ ଭାବରେ ଯୁବଗୋଷ୍ଠୀଙ୍କ ହୃଦୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ନିମନ୍ତେ ସେ ଅବିଶ୍ରାନ୍ତ ଭାବେ ସଦାବେଳେ ତତ୍ପର ଥିଲେ।
ଶିକ୍ଷା ଥିଲା ସନ୍ଥ ମହାରାଜଙ୍କର ସବୁଠାରୁ ପ୍ରିୟ ଏବଂ ହୃଦୟର ନିକଟତର। ବିଦ୍ୟାଧର (ତାଙ୍କର ବାଲ୍ୟକାଳର ନାମ)ଠାରୁ ବିଦ୍ୟାସାଗର ପର୍ଯ୍ୟନ୍ତ ତାଙ୍କର ଯାତ୍ରା କେବଳ ଜ୍ଞାନ ଆହରଣ ଓ ଜ୍ଞାନ ବିତରଣ ସକାଶେ ହିଁ ସମର୍ପିତ ଥିଲା। ତାଙ୍କର ଅତୁଟ ବିଶ୍ୱାସ ଥିଲା ଯେ କେବଳ ଶିକ୍ଷା ଦ୍ୱାରା ହିଁ ଏକ ଉଚିତ ଏବଂ ପ୍ରଜ୍ଞାଦୀପ୍ତ ସମାଜ ଗଠନ କରାଯାଇପାରିବ। ତେଣୁ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଶକ୍ତ କରିବା ନିମନ୍ତେ ସେ ଜ୍ଞାନକୁ ସାଧନ ରୂପେ ଉପଯୋଗ କରିବା ଉପରେ ପ୍ରାଧାନ୍ୟ ଦେଉଥିଲେ। ଏହା ଦ୍ୱାରା ସେ ସମସ୍ତଙ୍କୁ ଏକ ଉଦ୍ଦେଶ୍ୟପୂର୍ଣ୍ଣ ଓ ସମାଜ ପ୍ରତି ସମର୍ପିତ ଜୀବନ ବଞ୍ଚତ୍ବାକୁ ପ୍ରେରଣା ଯୋଗାଉଥିଲେ। ତାଙ୍କ ଶିକ୍ଷାରେ ସେ ସ୍ବା-ଧ୍ୟାୟ ଓ ଆତ୍ମ-ସଚେତନତାକୁ ହିଁ ବାସ୍ତବ ପ୍ରଜ୍ଞା ପ୍ରାପ୍ତିର ମାର୍ଗ ରୂପେ ଗ୍ରହଣ କରିବାକୁ ସେ ପରାମର୍ଶ ଦେଉଥିଲେ। ତେଣୁ ସେ ନିଜର ଅନୁଗାମୀମାନଙ୍କୁ ଆଜୀବନ ଜ୍ଞାନାନୁସନ୍ଧାନୀ ଏବଂ ଆଧ୍ୟାତ୍ମିକ ବିକାଶ ମାର୍ଗରେ ପଥିକ ହେବା ଲାଗି ଉପଦେଶ ଦେଉଥିଲେ।
ଏହା ସହିତ ସନ୍ଥ ଶିରୋମଣି ଆଚାର୍ଯ୍ୟ ବିଦ୍ୟାସାଗରଜୀ ମହାରାଜଜୀ ଆମର ଯୁବଗୋଷ୍ଠୀଙ୍କୁ ଉପଯୁକ୍ତ ଶିକ୍ଷା ପ୍ରାପ୍ତି ନିମନ୍ତେ ପ୍ରବର୍ତ୍ତାଉଥିଲେ। ବାସ୍ତବ ଶିକ୍ଷା ଆମର ସାଂସ୍କୃତିକ ଚିନ୍ତାଧାରାରେ ନିହିତ ରହିଛି ବୋଲି ମତପୋଷଣ କରୁଥିଲେ। ଆମେ ଅତୀତର ସାଂସ୍କୃତିକ ବୈଠକ ଏବଂ ଶିକ୍ଷାଠାରୁ ଦୂରେଇ ଯାଉଥିବା ହେତୁ ଏବେ ଜଳସଙ୍କଟର ସମାଧାନ ସୂତ୍ର ଖୋଜି ପାଇବାକୁ ଅସମର୍ଥ ହୋଇଛୁ। ସାମଗ୍ରିକ ଶିକ୍ଷା ଜଣେ ବିଦ୍ୟାର୍ଥୀକୁ କୁଶଳୀ ଓ ସୃଜନଶୀଳ କରିଥାଏ ବୋଲି ତାଙ୍କର ଦୃଢ଼ ଯୁକ୍ତି ଥିଲା। ଭାରତର ଭାଷାଭିତ୍ତିକ ବିବିଧତାକୁ ନେଇ ସେ ସଦାସର୍ବଦା ଗର୍ବ ଓ ଗୌରବ ଅନୁଭବ କରୁଥିଲେ ଏବଂ ଭାରତୀୟ ଭାଷା ଅଧ୍ୟୟନ ସକାଶେ ଯୁବବର୍ଗଙ୍କୁ ପରାମର୍ଶ ଦେଉଥିଲେ।
ପୂଜ୍ୟ ଆଚାର୍ଯ୍ୟଜୀ ସ୍ବୟଂ ସଂସ୍କୃତ, ପ୍ରାକୃତ ଓ ହିନ୍ଦୀରେ ବ୍ୟାପକ ରଚନା କରିଛନ୍ତି। ଜଣେ ମୁନି ଭାବେ ସେ ସୁଉଚ୍ଚ ଶିଖରରେ ପହଞ୍ଚତ୍ଥିଲେ, ତଥାପି ସଦାବେଳେ ସେ ଥିଲେ ଆଭୂମ। ତାଙ୍କର ଚର୍ଚ୍ଚିତ ପୁସ୍ତକ ‘ମୂକମାଟି’ରୁ ଏହା ସୁସ୍ପଷ୍ଟ। ନିଜର କାର୍ଯ୍ୟାବଳୀ ମାଧ୍ୟମରେ ସେ ଅବହେଳିତ ଲୋକମାନଙ୍କୁ ସ୍ବର ପ୍ରଦାନ କରିବାରେ ସକ୍ଷମ ହୋଇଥିଲେ।
ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ପୂଜ୍ୟ ଆଚାର୍ଯ୍ୟଜୀଙ୍କ ଅବଦାନ ଥିଲା ଯୁଗାନ୍ତକାରୀ ଓ ପଟ୍ଟପରିବର୍ତ୍ତନକାରୀ। ସେ ଅନେକ ଲୋକହିତକର କାର୍ଯ୍ୟକ୍ରମ ସହିତ ଏକାଧାରରେ ସଂଶ୍ଳିଷ୍ଟ ଥିଲେ। ବିଶେଷକରି ଅବହେଳିତ କ୍ଷେତ୍ରର ବିକାଶ କର୍ମରେ ସେ ଓତପ୍ରୋତ ଭାବରେ ଜଡ଼ିତ ରହିଥିଲେ। ସ୍ବାସ୍ଥ୍ୟସେବା ପ୍ରତି ତାଙ୍କର ଆଭିମୁଖ୍ୟ ଥିଲା ସାମଗ୍ରିକ। ସମନ୍ବିତ ଶାରୀରିକ ନିରାମୟତା ସହିତ ଆଧ୍ୟାତ୍ମିକ କଲ୍ୟାଣ ଏଥିରେ ସାମିଲ ଥିଲା। ତେଣୁ ଜଣେ ବ୍ୟକ୍ତିର ସକଳ ପ୍ରକାର ଆବଶ୍ୟକତା ପୂରଣ ଦିଗରେ ସେ ପ୍ରୟାସୀ ଥିଲେ।
ଆଗାମୀ ପିଢ଼ିଙ୍କୁ ମୁଁ ବିଶେଷ ଭାବରେ ନିବେଦନ କରିବି ଯେ ସନ୍ଥ ଶିରୋମଣି ଆଚାର୍ଯ୍ୟ ବିଦ୍ୟାସାଗରଜୀ ମହାରାଜଜୀଙ୍କ ରାଷ୍ଟ୍ର ନିର୍ମାଣ ପ୍ରତି ଥିବା ପ୍ରତିବଦ୍ଧତା ସମ୍ପର୍କରେ ବ୍ୟାପକ ମାତ୍ରାରେ ଅଧ୍ୟୟନ କରନ୍ତୁ। ସନ୍ଥଜୀ ସଦାସର୍ବଦା ନିବେଦନ କରୁଥିଲେ ଯେ ପକ୍ଷପାତପୂର୍ଣ୍ଣ ବିଚାରଧାରାଠାରୁ ଦୂରେଇ ରହିବା ଆବଶ୍ୟକ ଏବଂ ଜାତୀୟ ସ୍ବାର୍ଥ ପାଇଁ ଧ୍ୟାନକେନ୍ଦ୍ରିତ କରିବା ଉଚିତ। ଭୋଟଦାନର ସେ ଥିଲେ ଜଣେ ଦୃଢ଼ ପ୍ରବକ୍ତା, କାରଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ଓ ମତପୋଷଣ କରିବାର ଏହା ହେଉଛି ସବୁଠାରୁ ବଡ଼ ସାଧନ । ଏକ ସୁସ୍ଥ ଓ ସ୍ବଚ୍ଛ ରାଜନୈତିକ ବ୍ୟବସ୍ଥା ପାଇଁ ମଧ୍ୟ ସେ ଦୃଢ଼ ଯୁକ୍ତି ଉପସ୍ଥାପନ କରୁଥିଲେ। ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ହେବା ଉଚିତ ବୋଲି ତାଙ୍କର ବଳିଷ୍ଠ ମତ ଥିଲା। ଏହା କୌଣସି ଆତ୍ମସ୍ବାର୍ଥ ପାଇଁ ନୁହେଁ ।
ସେ ବିଶ୍ୱାସୀ ଥିଲେ ଯେ ନାଗରିକମାନେ ସମାଜ ଓ ରାଷ୍ଟ୍ର ପାଇଁ ନିଷ୍ଠାବାନ ଓ ସମର୍ପିତ ରହିଲେ ରାଷ୍ଟ୍ରର ଭିତ୍ତି ସୁଦୃଢ଼ ହୋଇପାରିବ। ତେଣୁ ପ୍ରତ୍ୟେକ ବ୍ୟକ୍ତି ସାଧୁତା, ନିଷ୍ଠାବାନ ଓ ଆତ୍ମନିର୍ଭରଶୀଳ ହେବା ସକାଶେ ସେ ପରାମର୍ଶ ଦେଉଥିଲେ। ତାହା ଏକ ଉଚିତ, ସମ୍ବେଦନଶୀଳ ତଥା ପ୍ରଗତିଶୀଳ ସମାଜ ଗଠନରେ ସହାୟକ ହୋଇପାରିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା। ଆମେ ଏବେ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରୁଥିବା ବେଳେ ସନ୍ଥ ଶିରୋମଣି ଶ୍ରୀ ବିଦ୍ୟାସାଗରଜୀଙ୍କର ଏଭଳି ଉପଦେଶ ବିଶେଷ ଗୁରୁତ୍ୱ ବହନ କରେ।
ସାରା ବିଶ୍ୱରେ ଅଧୁନା ଯେତେବେଳେ ଜଳ ସଙ୍କଟ ଭଳି ସମସ୍ୟା ବ୍ୟାପକ ମାତ୍ରାରେ ଘଟିଚାଲିଛି, ସେତେବେଳେ ପୂଜ୍ୟ ଆଚାର୍ଯ୍ୟଜୀ ପ୍ରକୃତି ପ୍ରତି ସମ୍ବେଦନା ଅନୁକରଣୀୟ। ଆମେ ସଭିଏଁ ଯେପରି ସାମାନ୍ୟତମ କ୍ଷତି ନ ପହଞ୍ଚାଇବା ସେଥିପ୍ରତି ସଦାସର୍ବଦା ସଚେତନ ରହିବା ସେଥି ନିମନ୍ତେ ସେ ପରାମର୍ଶ ଦେଉଥିଲେ। ଆମ ଅର୍ଥନୀତିରେ କୃଷିର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରୁଥିଲେ ଏବଂ ଏଥିସହିତ କୃଷିକୁ ଆଧୁନିକ ଓ ପୋଷଣୀୟ କରିବା ନିମନ୍ତେ ପରାମର୍ଶ ଦେଉଥିଲେ। ଜେଲ୍‌ର ଅନ୍ତେବାସୀଙ୍କ ପାଇଁ ତାଙ୍କ ସଂସ୍କାର ପରାମର୍ଶ ମଧ୍ୟ ଥିଲା ଗୁରୁତ୍ୱପୂର୍ଣ୍ଣ।
ଆମ ଭୂମିର ସୌନ୍ଦର୍ଯ୍ୟ ଅତୁଲ୍ୟ ଏବଂ ତାହା ହଜାର ହଜାର ବର୍ଷ ଧରି ଅତୁଟ ରହିଆସିଛି। ଆମ ଭୂମି ଅସଂଖ୍ୟ ମହାପୁରୁଷଙ୍କୁ ଜନ୍ମ ଦେଇଛି, ଯେଉଁମାନେ ସମାଜକୁ ଉତ୍ତମ ରୂପେ ଗଢ଼ିବା ସହ ଆଲୋକବର୍ତ୍ତିତା ସାଜିଛନ୍ତି। ସେହିଭଳି ସନ୍ଥ ଓ ସମାଜ ସଂସ୍କାରକଙ୍କ ସୂଚୀରେ ପୂଜ୍ୟ ଆଚାର୍ଯ୍ୟଜୀ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ରୂପେ ବିଦ୍ୟମାନ। ସେ ଯାହାକିଛି କରୁଥିଲେ ତାହା କେବଳ ବର୍ତ୍ତମାନ ପାଇଁ ନୁହେଁ, ଭବିଷ୍ୟତ ପାଇଁ ମଧ୍ୟ ଅଭିପ୍ରେତ ଥିଲା। ଗତବର୍ଷ ନଭେମ୍ବର ମାସରେ ଛତିଶଗଡର ଡୋଙ୍ଗରଗଡ଼ସ୍ଥିତ ଚନ୍ଦ୍ରଗିରି ଜୈନ ମନ୍ଦିର ପରିଦର୍ଶନର ସୌଭାଗ୍ୟ ମୋତେ ମିଳିଥିଲା। ସେତେବେଳେ କିନ୍ତୁ ମୁଁ ସାମାନ୍ୟତମ ଆଭାସ ସୁଦ୍ଧା ପାଇ ନ ଥିଲି ଯେ ପୂଜ୍ୟ ଗୁରୁଜୀଙ୍କ ସହ ତାହା ଥିଲା ମୋର ଅନ୍ତିମ ସାକ୍ଷାତ୍‌। ସେ ମୁହୂର୍ତ୍ତ ବିଶେଷ ମହତ୍ତ୍ୱ ବହନ କରିଥିଲା। ଦୀର୍ଘ ସମୟ ଧରି ସେ ମୋ ସହ ବାର୍ତ୍ତାଳାପ କରିଥିଲେ। ରାଷ୍ଟ୍ର ନିର୍ମାଣ ପାଇଁ ମୋ ପ୍ରୟାସକୁ ଆଶୀର୍ବାଦ ଦେଉଥିଲେ। ଆମ ଦେଶର ପ୍ରଗତି ଓ ସମଗ୍ର ବିଶ୍ୱରେ ଏହା ପାଉଥିବା ସମ୍ମାନ ପାଇଁ ସେ ତାଙ୍କର ସନ୍ତୋଷ ବ୍ୟକ୍ତ କରିଥିଲେ।
ସେ ଯେଉଁସବୁ କାର୍ଯ୍ୟ କରୁଥିଲେ, ସେ କଥା କହିଲାବେଳେ ଆନନ୍ଦରେ ଗଦଗଦ ହୋଇ ଉଠୁଥିଲେ। ସେତେବେଳେ ଓ ସଦାବେଳେ ତାଙ୍କର ସେଇ ନିରୀହ ଦୃଷ୍ଟି ଓ ପ୍ରଶାନ୍ତ ସ୍ମିତହାସ୍ୟ ପ୍ରତ୍ୟେକଙ୍କ ମନରେ ଶାନ୍ତି ଓ ଉତ୍ସାହ ଭରିଦେବା ପାଇଁ ପର୍ଯ୍ୟାପ୍ତ। ତାଙ୍କ ଆଶୀର୍ବାଦ ଥିଲା ଆତ୍ମାକୁ ପ୍ରଶାନ୍ତି ପ୍ରଦାନ କରିବା ଭଳି ଅଜ୍ଞାନ ସଦୃଶ, ଯାହାକି ତାଙ୍କ ଭିତରେ ଓ ଚତୁଃପାର୍ଶ୍ୱରେ ଏକ ଦିବ୍ୟ ବାତାବରଣକୁ ପ୍ରତିପାଦିତ କରୁଥିଲା।
ସନ୍ଥ ଶିରୋମଣି ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗରଜୀ ମହାରାଜଜୀଙ୍କ ଅବର୍ତ୍ତମାନରେ ସୃଷ୍ଟ ଶୂନ୍ୟତା ସଭିଏଁ ଗଭୀର ଭାବେ ଅନୁଭବ କରୁଛନ୍ତି। ଯେଉଁମାନେ ତାଙ୍କୁ ଜାଣିଥିଲେ, ସେମାନେ ତାଙ୍କର ଶିକ୍ଷା ଓ ଜୀବନ ଦ୍ୱାରା ଅନୁପ୍ରାଣିତ। ଯେଉଁ ଅସଂଖ୍ୟ ଲୋକଙ୍କୁ ସେ ପ୍ରଭାବିତ କରିଥିଲେ, ସେମାନଙ୍କ ହୃଦୟରେ ସନ୍ଥ ଶିରୋମଣି ଆଚାର୍ଯ୍ୟଜୀ ସଦାସର୍ବଦା ବିରାଜମାନ ରହିଛନ୍ତି। ତାଙ୍କ ସ୍ମୃତିକୁ ସମ୍ମାନ ପ୍ରଦର୍ଶନପୂର୍ବକ, ସେ ଯେଉଁ ଆଦର୍ଶରେ ଜୀବନ ବଞ୍ଚତ୍ଥିଲେ ଓ ସମସ୍ତଙ୍କୁ ପରାମର୍ଶ ଦେଉଥିଲେ, ତାକୁ ସଭିଏଁ ଆହରଣ ପାଇଁ ସଂକଳ୍ପବଦ୍ଧ ହେବା। ତଦ୍ଦ୍ବାରା କେବଳ ଏହି ମହାନ୍‌ ଆତ୍ମାଙ୍କ ପ୍ରତି ଆମର ଉପଯୁକ୍ତ ଓ ଯଥାର୍ଥ ଶ୍ରଦ୍ଧାଜ୍ଞଳି ହେବନାହିଁ, ଅପରପକ୍ଷେ ଆମ ରାଷ୍ଟ୍ର ଓ ଲୋକମାନଙ୍କୁ ଆଗକୁ ଆଗେଇ ନେବା ସକାଶେ ତାଙ୍କ ଅଭିଯାନ ମଧ୍ୟ ସାକାରିତ ହୋଇପାରିବ।

  • ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri