ଓବାମା, ବୁଶ, କ୍ଲିଣ୍ଟନ କ୍ୟାମେରା ସାମ୍ନାରେ ନେବେ କରୋନା ଟିକା

ୱାଶିଂଟନ,୪ ।୧୨: କରୋନା ମହାମାରୀ ଆମେରିକାରେ ତାଣ୍ଡବ ରଚିଥିବା ବେଳେ ଏବେ ଏହାର ଭ୍ୟାକ୍ସିନକୁ ନେଇ ଚର୍ଚ୍ଚା ଯୋର ଧରିଛି । ସବୁ ବିକାଶଶୀଳ ଦେଶ କରୋନା ଭ୍ୟାକ୍ସିନ ତିଆରି କରିବାରେ ଲାଗି ପଡିଥିବା ବେଳେ ଏବେ କେତେକ ଦେଶରେ ଏହା ଲୋକଙ୍କୁ ଦେବା ଲାଗି ପ୍ରସ୍ତୁତ ହୋଇଥିବା ଜଣାପଡିଛି । ଇତି ମଧ୍ୟରେ ଖବର ଆସିଛି କି ଆମେରିକାର ୩ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ବିଲ୍ କ୍ଲିଣ୍ଟନ ଓ ଜର୍ଜ ଡବ୍ଲୁ ବୁଶ କ୍ୟାମେରା ସାମ୍ନାରେ ଏହି ଟିକା ନେବାକୁ ରାଜି ହୋଇଛନ୍ତି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି କରୋନା ଭ୍ୟାକ୍ସିନ ପ୍ରତି ଲୋକଙ୍କ ବିଶ୍ୱାସ ବୃଦ୍ଧି କରିବା । ଏହି ୩ ରାଷ୍ଟ୍ରପତିଙ୍କ ମତ ହେଲା ଏହାଦ୍ୱାରା ଆମେରିକାବାସୀଙ୍କର କେବଳ ଯେ କରୋନା ଭ୍ୟାକ୍ସିନ ପ୍ରତି ବିଶ୍ୱାସ ବଢିବ ତା’ନୁହେଁ ବରଂ କରୋନା ସହ ଲଢିବାକୁ ଲୋକଙ୍କ ମଧ୍ୟରେ ସାହସ ଆସିବ । କରୋନା ଭ୍ୟାକ୍ସିନକୁ ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେଶନ(ଏଫ୍‌ଡିଏ)ର ମଞ୍ଜୁରୀ ମିଳିବା ପରେ ବି ଏହାର ପ୍ରଭାବକୁ ନେଇ ଏବେବି ଲୋକଙ୍କ ମନରେ ସନ୍ଦେହ ରହିଛି । ବୁଧବାର ଏକ ସାକ୍ଷାତ୍‌କାରରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କହିଛନ୍ତି ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଏନ୍ଥନି ଫାସିଙ୍କ ଉପରେ ମୋର ସମ୍ପୂର୍ଣ୍ଣ ଭରସା ରହିଛି । ସେ ହିଁ ମୋତେ କହିଛନ୍ତି ଏହି ଭ୍ୟାକ୍ସିନ ସୁରକ୍ଷିତ । ସେଥିପାଇଁ ମୁଁ ଏବେ ଏହାକୁ ନେବାକୁ ଯାଉଛି ବୋଲି ଓବାମା କହିଛନ୍ତି । ର୍ପୂ;ତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ବି କହିଛନ୍ତି ସାର୍ବଜନିକ ଭାବେ ସେ ଏହି ଭ୍ୟାକ୍ସିନ ନେବାକୁ ପ୍ରସ୍ତୁତ ଅଛନ୍ତି ।

Share