ଦାରିଙ୍ଗବାଡି,୪/୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିର ବ୍ଲକ କାର୍ଯ୍ୟାଳୟ ଏବଂ ତହସିଲ କାର୍ଯ୍ୟାଳୟ ଶୁକ୍ରବାରଠାରୁ ସ୍ବାଭାବିକ ହୋଇଛି। ସମୂହ ଛୁଟିରେ ଯାଇଥିବା ଓଏଏସ ଏବଂ ଓ ଆରଏସ ଅଧିକାରୀମାନେ ଆନ୍ଦୋଳନ ପ୍ରତ୍ୟାହୃତ ପରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏହି କ୍ରମରେ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ସଠିକ ସମୟରେ ବ୍ଲକ କାର୍ଯ୍ୟଳୟରେ ପହଞ୍ଚି ନିଜର ଗତ କିଛିଦିନ ହେଲା ଖାଲି ପଡିଥିବା ଚୌକିରେ ବସି କାର୍ଯ୍ୟ ଆରମ୍ଭ କରିଛନ୍ତି। ଗତ କିଛିଦିନ ହେଲା ଅଟକି ରହିଥିବା କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ସେ ସମସ୍ତ କର୍ମଚାରୀଙ୍କ ସହ ଆଲୋଚନା କରିବା ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି।
ଏକାଧିକ ଫାଇଲ ଗୁଡିକ ଗଦା ଗଦା ହୋଇ ରହିଥିବାବେଳେ ଫାଇଲ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି। ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ ଏବଂ ସମସ୍ତ କନିଷ୍ଠ ଯନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି।
ପ୍ରକାଶ ଯେ,ବହୁଚର୍ଚ୍ଚିତ ଭୁବନେଶ୍ୱର ବିଏମସିର ଅତିରିକ୍ତ କମିଶନର ତଥା ତତ୍କାଳ କନ୍ଧମାଳ ଜିଲାର ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁଙ୍କୁ ଦୁର୍ବୁତ୍ତଙ୍କ ମରଣାତ୍ମକ ଆକ୍ରମଣର ପ୍ରତିବାଦରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାଜ୍ୟ ଓଏଏସ ସଙ୍ଘ ପକ୍ଷରୁ ସମୂହ ଛୁଟିରେ ଯାଇଥିଲେ। ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱର କମିଶନରେଟ ପୋଲିସ ଗିରଫ କରିବା ପରେ ଓଏଏସ ସଙ୍ଘର ରାଜ୍ୟ ସଭାପତି ଜ୍ୟୋତିରଞ୍ଜନ ମିଶ୍ର ଆନ୍ଦୋଳନ ପ୍ରତ୍ୟାହୃତ କରିଥିବା ଘୋଷଣା କରିବା ପରେ ସମସ୍ତ ଅଧିକାରୀ କାର୍ଯ୍ୟରେ ଯୋଗଦେଇଥିବା ବେଳେ ଦାରିଙ୍ଗବାଡିରେ ମଧ୍ୟ ବିଡ଼ିଓ ରଥ କାର୍ଯ୍ୟରେ ଯୋଗଦେଇଥିବା କହିଥିଲେ।


