ଅଶ୍ଳୀଳ ଭିଡିଓ ପଠାଇବା ଘଟଣା: ପାଲଟା ଅଭିଯୋଗ ଆଣିଲେ ଓଏଏସ୍‌ ଅଫିସର

ଭୁବନେଶ୍ୱର, ୮ା୭ (ବ୍ୟୁରୋ): ମହିଳା କର୍ମଚାରୀଙ୍କ ପାଖକୁ ଅଶ୍ଳୀଳ ଭିଡିଓ ଏବଂ ମେସେଜ ପଠାଇ ଅଡୁଆରେ ପଡ଼ିଛନ୍ତି ଜଣେ ଓଏଏସ୍‌ ଅଫିସର। ସମ୍ପୃକ୍ତ ମହିଳା କର୍ମଚାରୀ ତାଙ୍କ ନାମରେ ମହିଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ୍‌ ନଂ. ୩୪/୨୦ ଆଇପିସି ଦଫା ୩୫୪ (ଡି), ୨୯୪, ୫୦୬, ୫୦୭, ୫୦୯ ଏବଂ ଆଇଟି ଆକ୍ଟ ୬୭ ଓ ୬୭(ଏ)ରେ ମାମଲା ରୁଜୁ କରିଛି। ସମ୍ପୃକ୍ତ ଅଫିସରଙ୍କୁ ଥାନାରେ ହାଜର ହୋଇ ବୟାନ ରଖିବାକୁ ତଦନ୍ତକାରୀ ଅଧିକାରୀଙ୍କ ପକ୍ଷରୁ ନୋଟିସ କରାଯାଇଥିବା ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ମଙ୍ଗଳବାର ନୂଆ ମୋଡ଼ ଆସିଛି। ଅଭିଯୁକ୍ତ ଅଫିସର ଜଣଙ୍କ ମଧ୍ୟ ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ନାମରେ ପାଲଟା ଅଭିଯୋଗ ଆଣିଛନ୍ତି। ସେ ଏ ନେଇ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଫିସର ଜଣକ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଯୁବତୀ ଜଣଙ୍କ ଚାକିରି କରୁଥିବା ଠିକା ସଂସ୍ଥା ଅଧୀନରେ ଯୁବତୀଙ୍କ ପୁରୁଷ ବନ୍ଧୁ ପ୍ରୋଗ୍ରାମିଂ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ତେବେ ଚାକିରି ପାଇଁ ପ୍ରୋଗ୍ରାମିଂ ମ୍ୟାନେଜର ଦେଇଥିବା ଡକ୍ୟୁମେଣ୍ଟ ସବୁ ଜାଲ୍‌ ରହିଥିଲା। ଏହା ଜାଣିବା ପରେ ସେ ସମ୍ପୃକ୍ତ ଉକ୍ତ ପ୍ରୋଗ୍ରାମିଂ ମ୍ୟାନେଜରଙ୍କୁ ୨ତାରିଖରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ହେଲେ ତାଙ୍କଠାରୁ ସନ୍ତୋଷଜନକ ଉତ୍ତର ପାଇ ନ ଥିଲେ। ତେଣୁ ତାଙ୍କୁ କାର୍ଯ୍ୟରୁ ବିଦା କରିଦେଇଥିଲେ। ସେ ଯୁବତୀଙ୍କୁ ଅଶ୍ଲୀଳ ମେସେଜ ଏବଂ ଭିଡିଓ ପଠାଇ ନାହାନ୍ତି। ତାଙ୍କୁ ଫସାଇବା ପାଇଁ ଯୁବତୀ ଏବଂ ତାଙ୍କ ବନ୍ଧୁ ମିଶି ଏଭଳି ଷଡ଼ଯନ୍ତ୍ର କରିଛନ୍ତି। ତାଙ୍କ ମୋବାଇଲ୍‌ କେହି ବ୍ୟବହାର କରି ଏଭଳି ଭିଡିଓ ପଠାଇଛନ୍ତି। ଏହାର ଫରେନ୍‌ସିକ୍‌ ଯାଞ୍ଚ କଲେ ପ୍ରକୃତ ଘଟଣା ପଦାକୁ ଆସିବ। ସେପଟେ ପ୍ରୋଗ୍ରାମିଂ ମ୍ୟାନେଜର କହିଛନ୍ତି, କର୍ମକ୍ଷେତ୍ରରେ ନିର୍ଯାତନା ପାଉଥିବାରୁ ସେ ନିଜେ ଉକ୍ତ ଠିକା ସଂସ୍ଥାରୁ ୨ ତାରିଖ ପୂର୍ବରୁ ଇସ୍ତଫା ଦେଇଛନ୍ତି।