ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ, ବାଦ୍ ପଡ଼ିଲେ କୁଳଦୀପ, ସାମିଲ ହେଲେ….

ନୂଆଦିଲ୍ଲୀ,୧୪।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳରେ ଦୁଇଟି ବଡ଼ ପରିବର୍ତ୍ତନ କରିଛି ଚୟନ କମିଟି । ନଭେମ୍ବର ୧୯ ତାରିଖରୁ ୱେଲିଂଟନ୍‌ରେ ଆରମ୍ଭ ହେବାକୁ ଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁ ଯୁବ ଦ୍ରୁତ ବୋଲର ଗୁରନୂର ବରାରଙ୍କୁ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯାଇଛି । ଅନ୍ୟପଟେ ଚାଇନାମ୍ୟାନ୍‌ ସ୍ପିନର କୁଲଦୀପ ଯାଦବଙ୍କୁ ଟେଷ୍ଟ ଦଳରୁ ମୁକ୍ତ କରାଯାଇଛି। ସେ ଭାରତ ଫେରି ଚାଲିଥିବା ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଖେଳିବେ।

ଏହା ସହ ଭାରତୀୟ ଦଳ ପାଇଁ ଆଉ ଏକ ଆଶ୍ୱସ୍ତିକର ଖବର ହେଉଛି, ଷ୍ଟାର୍‌ ୱିକେଟ୍‌କିପର ବ୍ୟାଟର ଋଷଭ ପନ୍ତ ୱେଲିଂଟନ୍‌ରେ ପହଞ୍ଚି ଟେଷ୍ଟ ଦଳ ସହ ଯୋଗ ଦେଇଛନ୍ତି। ଟେଷ୍ଟ ଦଳରେ ସ୍ଥାନ ପାଇବା ପରେ ଗୁରନୂର ବରାର ଏବେ ସିଧାସଳଖ ଟେଷ୍ଟ ଦଳ ସହ ଯୋଗ ଦେବେ। ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଦିନିକିଆ ମ୍ୟାଚ୍‌ରେ ସେ ଖେଳିପାରିବେ ନାହିଁ। ତାଙ୍କ ସ୍ଥାନରେ ଅନ୍ୟ କୌଣସି ଖେଳାଳିଙ୍କୁ ଦଳରେ ସାମିଲ କରାଯାଇନାହିଁ । ଚଳିତ ନ୍ୟୁଜିଲାଣ୍ଡ ଗସ୍ତ ଗୁରନୂରଙ୍କ ପାଇଁ ବେଶ୍‌ ସଫଳ ରହିଛି। ସେ ୩ଟି ଦିନିକିଆ ମ୍ୟାଚ୍‌ରେ ୯ଟି ୱିକେଟ୍‌ ନେଇଛନ୍ତି। ଏହା ସହ ସେ ଚଳିତ ଦିନିକିଆ ସିରିଜ୍‌ରେ ସର୍ବାଧିକ ୱିକେଟ୍‌ ନେଇଥିବା ବୋଲର ଅଛନ୍ତି।

ଅନ୍ୟପଟେ କୁଲଦୀପ ଯାଦବଙ୍କୁ ଚଳିତ ଦିନିକିଆ ସିରିଜ୍‌ରେ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିଥିଲା। ବେ ଓଭାଲ୍‌ରେ ଖେଳାଯାଇଥିବା ଚତୁର୍ଥ ଦିନିକିଆରେ ସେ ୮ ଓଭର ବୋଲିଂ କରି ୭୩ ରନ୍‌ ବ୍ୟୟ କରିଥିଲେ। ଏହି ମ୍ୟାଚ୍‌ରେ ତାଙ୍କୁ କୌଣସି ୱିକେଟ୍‌ ମିଳିନଥିଲା। ଏବେ ତାଙ୍କୁ ଘରୋଇ କ୍ରିକେଟ୍‌ରେ ଖେଳିବା ପାଇଁ ଦଳରୁ ମୁକ୍ତ କରାଯାଇଛି।

ଶୁଭମନ ଗିଲ୍‌ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, କେଏଲ୍‌ ରାହୁଲ (ଉପଅଧିନାୟକ), ଦେବଦତ୍ତ ପଡିକଲ, ଋଷଭ ପନ୍ତ (ୱିକେଟ୍‌କିପର), ଧ୍ରୁବ ଜୁରେଲ (ୱିକେଟ୍‌କିପର), ରବୀନ୍ଦ୍ର ଜାଡେଜା, ଅଂଶୁଲ କାମ୍ବୋଜ, ଜସପ୍ରୀତ ବୁମ୍‌ରା, ପ୍ରସିଦ୍ଧ କୃଷ୍ଣ, ଆକାଶଦୀପ, ସାଇ ସୁଦର୍ଶନ, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍‌ ସୁନ୍ଦର, ମହମ୍ମଦ ସିରାଜ ଓ ଗୁରନୂର ବରାର।

 

Dharitri – Odisha’s No.1 Odia Daily

Share