ଆରାବଳୀ ରାୟ ସମୀକ୍ଷା କମିଟିର ପରିବର୍ତ୍ତନ ଦାବି, ସିଜେଆଇଙ୍କୁ ପତ୍ର ଲେଖିଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୨୧।୬: ଆରାବଳୀ ପର୍ବତମାଳାର ସୁରକ୍ଷା ଲକ୍ଷ୍ୟରେ ଦିଆଯାଇଥିବା ପୂର୍ବ ରାୟର ସମୀକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିରେ ପରିବର୍ତ୍ତନ ପାଇଁ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ଦେଶର ଅନେକ ବୈଜ୍ଞାନିକ, ପରିବେଶବିତ୍‌, ନୀତି ବିଶେଷଜ୍ଞ, ଅମଲା ଏବଂ ସଂରକ୍ଷଣ ସଂଗଠନ ପତ୍ର ଲେଖିଛନ୍ତି । ଗତ ୨ ଦିନ ମଧ୍ୟରେ ଅନୂ୍ୟନ ୧୦ଟି ପତ୍ର ସିଜେଆଇଙ୍କୁ ମିଳିଛି। ନୂତନ ଭାବେ ଗଠିତ କମିଟି ପକ୍ଷପାତପୂର୍ଣ୍ଣ ଓ ସେଥିରେ ଏବଂ ସେଥିରେ ସ୍ବାଧୀନ ବିଷୟ ବିଶେଷଜ୍ଞଙ୍କ ଅଭାବ ରହିଛି।

କମିଟିରେ ଥିବା କେତେଜଣ ସଦସ୍ୟଙ୍କର ସ୍ବାର୍ଥ ଦ୍ୱନ୍ଦ୍ୱ ରହିଥିବା ସ୍ବାକ୍ଷରକାରୀମାନେ ଅଭିଯୋଗ କରିଛନ୍ତି। ତେଣୁ କମିଟି ପୁନର୍ଗଠନ କରାଯିବା ସହ ପରିବେଶ ବିଜ୍ଞାନ, ଜଳବିଜ୍ଞାନ, ଜନସ୍ବାସ୍ଥ୍ୟ ଏବଂ ଜୀବିକା ଅଧ୍ୟୟନର ବିଶେଷଜ୍ଞଙ୍କୁ ସାମିଲ କରିବାକୁ ନିବେଦନ କରାଯାଇଛି। ଆରାବଳୀ ପର୍ବତମାଳାକୁ ନେଇ ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ରାୟର ସମୀକ୍ଷା କରିବା ପାଇଁ କମିଟି ଗଠନ ହୋଇଥିଲା। ବର୍ତ୍ତମାନର ଢାଞ୍ଚା ପରିବେଶ ସୁରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିପାରେ ବୋଲି ଆବେଦନକାରୀମାନେ ଯୁକ୍ତି ଦର୍ଶାଇଥିଲେ।

କମିଟିରେ ଅବସରପ୍ରାପ୍ତ ଅଫିସର ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ ରହିଥିବାବେଳେ ଏହା ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ସଚିବଙ୍କ ଅଧୀନରେ କାର୍ଯ୍ୟ କରୁଛି। ପୂର୍ବରୁ ଅନୁରୂପ ପ୍ରଶାସନିକ ବ୍ୟବସ୍ଥା ଆରାବଳୀର ସଂଜ୍ଞା ନିରୂପଣ କରିଥିଲା, ଯେଉଁଥିରେ ଛୋଟ ପାହାଡ଼ଗୁଡ଼ିକୁ ଆଇନଗତ ସୁରକ୍ଷାରୁ ବାଦ୍‌ ଦିଆଯାଇଥିଲା। ଫଳରେ ଆରାବଳୀରେ ଖଣି ଖନନ ପାଇଁ ସୁଯୋଗ ସୃଷ୍ଟି ହେଇଥିଲା।

ଗତ ମେ’ ୨୫ରେ ଭାରତୀୟ ବନ ବିଜ୍ଞାନ ଗବେଷଣା ଓ ଶିକ୍ଷା ପରିଷଦ (ଆଇସିଏଫ୍‌ଆର୍‌ଇ)ର ମହାନିର୍ଦ୍ଦେଶକ କାଞ୍ଚନ ଦେବୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଭାରତର ଜଙ୍ଗଲ ସର୍ବେକ୍ଷଣ, ଭାରତର ଭୂତାତ୍ତ୍ୱିକ ସର୍ଭେର ପୂର୍ବତନ ବରିଷ୍ଠ ଅଧିକାରୀ, ଦିଲ୍ଲୀ ୟୁନିଭର୍ସିଟି ଓ ହରିୟାଣାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷାବିତ୍‌ ସଦସ୍ୟ ରହିଛନ୍ତି। କମିଟିର ଗଠନ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ପୂର୍ବତନ ଆଇଏଫଏସ୍‌ ଅଫିସର ପ୍ରକୃତି ଶ୍ରୀବାସ୍ତବ ଅଭିଯୋଗ କରିଛନ୍ତି। କାରଣ କମିଟି ଅଧ୍ୟକ୍ଷ ଜଙ୍ଗଲ ଓ ପରିବେଶ ସଚିବଙ୍କୁ ରିପୋର୍ଟ କରବେ। ସେହି ସମାନ ପ୍ରଶାସନିକ ବ୍ୟବସ୍ଥା ଅଧୀନରେ ଥିବା ଏକ ରିପୋର୍ଟକୁ ଯାଞ୍ଚ କରିବା ସମୟରେ ସମ୍ଭାବ୍ୟ ସ୍ବାର୍ଥ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ ବୋଲି ଶ୍ରୀବାସ୍ତବ କହିଛନ୍ତି।

 

Dharitri – Odisha’s No.1 Odia Daily

Share
Tags: Aravallis