ଏନ୍‌ଭିଡିଆ ବଜାର ମୂଲ୍ୟ ୧.୫୭ ଟ୍ରିଲିୟନ ଡଲାର ଖସିଲା

ଓ୍ବାଶିଂଟନ୍‌,୧୧ା୧୧: ଅନ୍ତର୍ଜାତୀୟ କର୍ପୋରେଟ୍‌ ଜଗତରେ ବିଶ୍ୱର ପ୍ରମୁଖ ଟେକ୍‌ ତଥା ଅତ୍ୟାଧୁନିକ ଚିପ୍‌ ନିର୍ମାଣକାରୀ କମ୍ପାନୀ ଏନ୍‌ଭିଡିଆ ପ୍ରସଙ୍ଗ ଏବେ ସବୁଠାରୁ ଚର୍ଚ୍ଚିତ ହୋଇଛି। ଚାଇନାର ଆଲିସ୍‌ ହୁଆଙ୍ଗଙ୍କ ସହ ଏନ୍‌ଭିଡିଆ ସିଇଓ ଜେନ୍‌ସେନ୍‌ ହୁଆଙ୍ଗଙ୍କ ପରକୀୟା ପ୍ରୀତି ଏବଂ ସମ୍ପୃକ୍ତ ମହିଳା ଜଣକ ଚାଇନାର ଗୋଇନ୍ଦା ବିଭାଗ ପାଇଁ ଗୁପ୍ତଚରଗିରି କରୁଥିବା ବିଷୟ ସାମ୍ନାକୁ ଆସିବା ପରେ ଜେନ୍‌ସେନ୍‌ଙ୍କ ବିରୋଧରେ କମ୍ପାନୀ ଯାଞ୍ଚ ଆରମ୍ଭ କରିଛି। ଏଭଳି ସ୍ଥିତିରେ ଏନ୍‌ଭିଡିଆର ଶେୟାର ମୂଲ୍ୟ ୬ % ହ୍ରାସ ପାଇବା ସହ କମ୍ପାନୀର ବଜାର ମୂଲ୍ୟ(ଏମ୍‌-କ୍ୟାପ୍‌) ମଧ୍ୟ ୧.୫୭ ଟ୍ରିଲିୟନ ଡଲାର ହ୍ରାସ ପାଇ ୪.୩୧ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଏହି ହ୍ରାସ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ପ୍ରାୟ ଏକତୃତୀୟାଂଶ ସହ ସମାନ ହୋଇଥିବାବେଳେ ଏଲନ୍‌ ମସ୍କଙ୍କ ଟେସ୍‌ଲା କମ୍ପାନୀର ମୋଟ ବଜାର ମୂଲ୍ୟ(୧.୪୯ ଟ୍ରିଲିୟନ ଡଲାର)ଠାରୁ ମଧ୍ୟ ଅଧିକ। ସପ୍ତାହ ତଳେ ଏନ୍‌ଭିଡିଆର ମୋଟ ବଜାର ମୂଲ୍ୟ ୫.୮୮ ଟ୍ରିଲିୟନ ଡଲାର ରହିଥିଲା। ଏହାଦ୍ୱାରା ଏନ୍‌ଭିଡିଆକୁ ଟପି ମାଇକ୍ରୋସଫ୍ଟ ଏବେ ବିଶ୍ୱର ଦ୍ୱିତୀୟ ବୃହତ୍‌ ମୂଲ୍ୟବାନ କମ୍ପାନୀ ଭାବେ ଉଭା ହୋଇଛି।
ଜେନ୍‌ସେନ୍‌ଙ୍କ ସମ୍ପତ୍ତି ମୂଲ୍ୟରେ ୭.୪ ବିଲିୟନ ଡଲାର ହ୍ରାସ
କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ବିପ୍ଳବ ପାଇଁ ଏନ୍‌ଭିଡିଆ ସିଇଓ ଜେନ୍‌ସେନ୍‌ ହୁଆଙ୍ଗ ସର୍ବଦା ଖବର ଶିରୋନାମାରେ ରହିଆସିଥିଲାବେଳେ ଏବେ ତାଙ୍କର ବ୍ୟକ୍ତିଗତ ଜୀବନ ଉପରେ ସମସ୍ତଙ୍କ ନଜର ପଡ଼ିଛି। କେବଳ ସେତିକି ନୁହେଁ, ଚାଇନାର ଆଲିସ୍‌ ହୁଆଙ୍ଗଙ୍କ ସହ ପରକୀୟା ପ୍ରୀତି ତାଙ୍କର ମୋଟ ସମ୍ପତ୍ତିକୁ ମଧ୍ୟ ପ୍ରଭାବିତ କରିଛି। ଆଲିସଙ୍କ ସହ ଜେନ୍‌ସେନ୍‌ ସମ୍ପର୍କ ରଖିବା ଏବଂ ତାଙ୍କ ସ୍ତ୍ରୀ ଲୋରି ହୁଆଙ୍ଗଙ୍କ ପ୍ରତି ଅବିଶ୍ୱସନୀୟ ହୋଇପଡ଼ିଥିବା କଥା ସେ ସ୍ବୀକାର କରିବା ପରେ ଏନ୍‌ଭିଡିଆର ଶେୟାର ମୂଲ୍ୟରେ ବଡ଼ ହ୍ରାସ ଘଟିଛି। ଫଳରେ ଜେନ୍‌ସେନ୍‌ଙ୍କ ସମ୍ପତ୍ତି ମୂଲ୍ୟ ବହୁ କୋଟି ଡଲାର କମିଯାଇଛି ଏବଂ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ସେ ତଳକୁ ଖସି ଆସିଛନ୍ତି।
ଫୋର୍ବସ ରିପୋର୍ଟ ଅନୁଯାୟୀ, ନଭେମ୍ବର ୯ରେ ଟ୍ରେଡିଂର ପ୍ରଥମ ଅଧ ଘଣ୍ଟା ମଧ୍ୟରେ ଜେନସେନ୍‌ଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୭.୪ ବିଲିୟନ ଡଲାର ହ୍ରାସ ପାଇ ୧୫୪.୭ ବିଲିୟନ ଡଲାରକୁ ଖସିଆସିଛି। ସେ କୋଟିପତି ତାଲିକାରେ ୮ମ ସ୍ଥାନରୁ ୧୦ମ ସ୍ଥାନକୁ ଖସି ଆସିବା ସହ ଓ୍ବର୍କସାୟାର ହାଥାୱେ ମୁଖ୍ୟ ୱାରେନ ବଫେଟ୍‌ ଏବଂ ଓରାକଲ ସହ-ପ୍ରତିଷ୍ଠାତା ଲ୍ୟାରି ଏଲିସନଙ୍କଠାରୁ ତଳକୁ ଚାଲିଯାଇଛନ୍ତି।

Dharitri – Odisha’s No.1 Odia Daily

Share