ପରୀକ୍ଷାରୁ ବଞ୍ଚିତ ନର୍ସିଂ ଛାତ୍ରୀ

ଅନୁଗୋଳ ଅଫିସ,୧୮।୩: ଅନୁଗୋଳ ଜିଲା ଛେଣ୍ଡିପଦା ସାଇଶ୍ରଦ୍ଧା ନର୍ସିଂ କଲେଜରେ ପଢୁଥିବା ୨ୟ ବର୍ଷର ୭ ଜଣ ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। କଲେଜ କର୍ତ୍ତୃପକ୍ଷ ନକଲି ଆଡମିଡ୍‌ କାର୍ଡ ଦେଇଥିବାରୁ ଏଭଳି ସମସ୍ୟା ଉପୁଜିଥିବା ସେମାନେ ଅଭିଯୋଗ କରିଛନ୍ତି। ନ୍ୟାୟ ଦାବିରେ ସମ୍ପୃକ୍ତା ଛାତ୍ରୀମାନେ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଆସନ୍ତା ୨୭ ତାରିଖରେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଏହାର ସମାଧାନ କରାଯିବ ବୋଲି ପ୍ରଶାସନିକ ପ୍ରତିଶ୍ରୁତି ମିଳିବା ପରେ ଛାତ୍ରୀମାନେ ଧାରଣାରୁ ଓହରିଛନ୍ତି। ଯଦି ସମସ୍ୟାର ସମାଧାନ ନ ହୁଏ, ତେବେ ସମସ୍ତ ଛାତ୍ରୀ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।
ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ପରୀକ୍ଷା କେନ୍ଦ୍ରରେ ସେମାନେ ୨ୟ ବର୍ଷର ପରୀକ୍ଷା ଦେବେ ବୋଲି କଲେଜରୁ ମିଳିଥିବା ଆଡ୍‌ମିଟ୍‌ କାର୍ଡରେ ଉଲ୍ଲେଖ କରାଯାଇଥିଲା। ସେମାନେ ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ଥିଲେ। ହେଲେ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ଆଡ୍‌ମିଟ୍‌ କାର୍ଡ ଯାଞ୍ଚ ପରେ ନକଲି ବୋଲି କହିଥିଲେ। ଏହାପରେ ଛାତ୍ରୀମାନେ ପରୀକ୍ଷା ଦେଇ ନ ପାରି ନିରାଶରେ ଫେରିଥିଲେ। ଏ ସଂକ୍ରାନ୍ତରେ ଛାତ୍ରୀ ପ୍ରିୟଙ୍କା ନାଏକ, ସୁମତୀ ମାହାର, ଆଶାଞ୍ଜଳି ପ୍ରଧାନ ପ୍ରଥମେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ଥିଲା। ତେଣୁ ସେମାନେ ଧାରଣାରେ ବସିଥିଲେ। କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରିବା, ପୁନର୍ବାର ପରୀକ୍ଷା ପାଇଁ ସୁଯୋଗ ପ୍ରଦାନ, ସାଇ ଶ୍ରଦ୍ଧା ନର୍ସିଂ କଲେଜ ବନ୍ଦ କରିବାକୁ ଛାତ୍ରୀମାନେ ଦାବି କରିଛନ୍ତି।
ଏ ନେଇ କଲେଜ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଜେନାଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନାହିଁ। ଛେଣ୍ଡିପଦା ଥାନା ଅଧିକାରୀ ଧୀରେନ୍‌ ବେହେରା କହିଛନ୍ତି, ଛାତ୍ରୀମାନଙ୍କ ଅଭିଯୋଗକ୍ରମେ ଥାନାରେ ନଂ.୨୯/୨୩ରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଛି। ୪୨୦ ଦଫାରେ କଲେଜରୁ କେତେକ ଦସ୍ତାବିଜ୍‌ ସିଜ୍‌ କରାଯାଇଛି। ଛାତ୍ରୀମାନଙ୍କୁ ନକଲି ଆଡମିଟ୍‌ କାର୍ଡ ଦିଆଯାଇଥିବା ଅଭିଯୋଗରେ ସତ୍ୟତା ଥିବା ଥାନାଧିକାରୀ କହିଛନ୍ତି। ସେହିଭଳି ଛାତ୍ରୀମାନଙ୍କୁ ଜାତିଆଣ ଆକ୍ଷେପ ନେଇ ଅନୁଗୋଳ ସଦର ଥାନାରେ ନଂ. ୨୯/୨୩ରେ ଅନ୍ୟ ଏକ ମାମଲା ରୁଜୁ ହୋଇଥିବା ସେ ସୂଚନା ଦେଇଛନ୍ତି।