Categories: ଜାତୀୟ

ନୁପର ଶର୍ମା, ନବୀନ ଜିନ୍ଦଲ ଭାଜପାରୁ ନିଲମ୍ବିତ

ନୂଆଦିଲ୍ଲୀ,୫ ।୬: ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରବକ୍ତା ନୁପୁର ଶର୍ମା ଓ ମିଡିଆ ପ୍ରଭାରୀ ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ନିକଟରେ ନୁପର ଶର୍ମା ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ଦେଇ ଆସିଥିଲେ ଚର୍ଚ୍ଚାକୁ । ଏହାକୁ ନେଇ ଏବେ ପର୍ଯ୍ୟନ୍ତ ବି ବିବାଦ ଜାରି ରହିଛି । ଏହାକୁ ଦେଖି ଭାଜପା ଏବେ ନୁପୁର ଶର୍ମାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୂଚନାଯୋଗ୍ୟ, ନୁପୁର ଶର୍ମାଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ସସପେଣ୍ଡ କରାଯାଇଛି । ଏହାସହ ଦଳର ହାଇକମାଣ୍ଡ ମିଡିଆ ପ୍ରଭାରୀ ନବୀନ ଜିନ୍ଦଲଙ୍କୁ ବି ଦଳରୁ ନିଲମ୍ବିତ କରିଛନ୍ତି ।

ନବୀନ ଜିନ୍ଦଲ ଦିଲ୍ଲୀ ଭାଜପାର ମିଡିଆ ପ୍ରଭାରୀ ଥିଲେ । ନୁପୁରଙ୍କୁ ୬ ବର୍ଷ ପାଇଁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରାଯାଇଛି । ଏହା ପୂର୍ବରୁ ରବିବାର ଭାଜପା ନୁପୁରଙ୍କ ବିବଦୀୟ ବୟାନକୁ ନେଇ କହିଥିଲା ଦଳ ସବୁ ଧର୍ମକୁ ସମ୍ମାନ କରେ । କୌଣସି ଧର୍ମର ପୂଜନୀୟ ଲୋକଙ୍କ ଅପମାନକୁ ଦଳ ବରଦାସ୍ତ କରିବ ନାହିଁ । ନୁପୁରଙ୍କ ବିବାଦୀୟ ବୟାନକୁ ନେଇ ଭାଜପା ମହାସଚିବ ଅରୁଣ ସିଂ କହିଥିଲେ ତାଙ୍କ ଦଳ ଅର୍ଥାତ୍ ଭାଜପା ଏମିତି କୌଣସି ବିବାଦୀୟ ବିଚାରଧାରାକୁ ସ୍ୱୀକାର କରିବ ନାହିଁ । ଯାହା କୌଣସି ଧର୍ମ ବା ସମ୍ପ୍ରଦାୟର ଭାବନାକୁ ଆଘାତ ଦେଉଥିବ ।

Share