ଆଇଆରଇଏଲ୍ ସମ୍ମୁଖରେ ନମ୍ବର ବିହୀନ ଓଆଇଏସ୍‌ଏଫ୍ ଗାଡ଼ି ଧକ୍କାରେ ୨ ଗୁରୁତର; ଘଟଣାସ୍ଥଳରେ ଉତ୍ତେଜନା

ଛତ୍ରପୁର, ୨୯।୧୧ (ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଆଇଆରଇଏଲ୍ (IREL) କମ୍ପାନୀ ସମ୍ମୁଖରେ ଏକ ନମ୍ବର ବିହୀନ ଓଆଇଏସ୍‌ଏଫ୍ (OISF) ଗାଡ଼ି ଧକ୍କାରେ ଦୁଇଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଂକଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିରେ ନମ୍ବର ପ୍ଲେଟ୍ ନଥିବା ଏବଂ ବେପରୁଆ ଗାଡ଼ି ଚାଳନାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ସୂଚନା ଅନୁଯାୟୀ, ଜ୍ଞାନ ରଞ୍ଜନ ବେହେରା, କମଳା କୁମାରୀ ମଲ୍ଲିକ ଏବଂ ଜଣେ ଛୋଟ ଝିଅ ଏକ ବାଇକ୍ ଯୋଗେ କାଳିପଲ୍ଲୀରୁ ରମ୍ଭା ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ଆଇଆରଇଏଲ୍ କମ୍ପାନୀ ସମ୍ମୁଖରେ ଓଆଇଏସ୍‌ଏଫ୍ ପାଇଁ ନିୟୋଜିତ ଥିବା ଏକ ନମ୍ବର ବିହୀନ ଗାଡ଼ି ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ରୁ ଛିଟିକି ପଡ଼ି ଜ୍ଞାନ ରଞ୍ଜନ ଓ କମଳା କୁମାରୀ ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଆହତଙ୍କ ଉପଯୁକ୍ତ ଚିକିତ୍ସା ଦାବିରେ ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ଏବଂ ପରେ ଏକ ଘରୋଇ ଗାଡ଼ି ଯୋଗେ ସେମାନଙ୍କୁ ବ୍ରହ୍ମପୁର ନିଆଯାଇଥିଲା।

ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଏକ ଘରୋଇ କମ୍ପାନୀର ହୋଇଥିବା ବେଳେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡ଼ିଛି। ଗାଡ଼ିରେ ନମ୍ବର ପ୍ଲେଟ୍ ନଥିବାରୁ ସ୍ଥାନୀୟ ଲୋକେ ଓଆଇଏସ୍‌ଏଫ୍ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ବେପରୁଆ ଗାଡ଼ି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଆହତଙ୍କ ପରିବାରବର୍ଗ ଅଭିଯୋଗ କରିଥିବା ବେଳେ ଏନେଇ ଓଆଇଏସ୍‌ଏଫ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Dharitri – Odisha’s No.1 Odia Daily

Share