ନମ୍ବର ପ୍ଲେଟ୍‌ ଦଣ୍ଡ: ୨,୬୭୪ ଯାନ ବିରୋଧରେ ଚାଲାଣ

ଭୁବନେଶ୍ବର, ୧୬ା୨(ବ୍ୟୁରୋ): କଠୋର ହେଲେ ରାଜ୍ୟ ସରକାର। ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ନମ୍ବର ପ୍ଲେଟ୍‌(ଏଚ୍‌ଏସ୍‌ଆର୍‌ପି) ଉଲ୍ଲଂଘନ ଅଭିଯୋଗରେ ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ୨,୬୭୪ ଯାନ ବିରୋଧରେ ଚାଲାଣ କାଟିଛି। ଫେବୃୟାରୀ ୧ରୁ ଗତ ୧୧ ତାରିଖ ପର୍ଯ୍ୟନ୍ତ ୧୧ଦିନ ଭିତରେ ଏହି ସବୁ ଚାଲାଣ କଟାଯାଇଛି। ୨୦୨୨ ଜୁନ୍‌ ୧ ପୂର୍ବରୁ ରାଜ୍ୟ ପରିବହନ ବିଭାଗ ସମସ୍ତ ଶ୍ରେଣୀ ଯାନ ପାଇଁ ଏଚ୍‌ଏସ୍‌ଆର୍‌ପି ବାଧ୍ୟତାମୂଳକ କରିଛନ୍ତି, ଯାହା ୨୦୧୯ ଏପ୍ରିଲ ୧ ପୂର୍ବରୁ ପଞ୍ଜୀକୃତ ହୋଇଥିଲା। ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ଆଡିସନାଲ କମିଶନର ଟ୍ରାନ୍ସପୋର୍ଟ ଲାଲମୋହନ ସେଠୀ କହିଛନ୍ତି, ୨୦୨୩ ଫେବୃୟାରୀ ୧୩ ସୁଦ୍ଧା ମୋଟ୍‌ ୩୮,୪୯,୪୯୮ ଜଣ ଗାଡି ମାଲିକ ସ୍ଲଟ୍‌ ବୁକ୍‌ କରିଛନ୍ତି। ସେଥିମଧ୍ୟରୁ ୩୧,୬୫,୮୫୦ଟି ଗାଡ଼ିରେ ଏଚ୍‌ଏସ୍‌ଆର୍‌ପି ଲଗାଯାଇଛି। ଯଦି ନିର୍ଦ୍ଧାରିତ ତାରିଖ ମଧ୍ୟରେ ଗାଡିରେ ଏଚ୍‌ଏସ୍‌ଆର୍‌ପି ସହିତ ସଂଲଗ୍ନ ନ ହୁଏ, ତେବେ ଗାଡି ମାଲିକଙ୍କ ବିରୋଧରେ ଇ-ଚାଲାଣ ଜାରି କରାଯିବ। ଜରିମାନା ବାବଦକୁ ୫,୦୦୦ ଟଙ୍କା କିମ୍ବା ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯିବ ବୋଲି କମିଶନର କହିଛନ୍ତି। ସେ କହିଛନ୍ତି, ଏ ପର୍ଯ୍ୟନ୍ତ ଜାରି କରାଯାଇଥିବା ଚାଲାଣଗୁଡିକ ମଧ୍ୟରେ ଅଧିକାଂଶ ଯାନ ଦୁଇଚକିଆ। ଜରିମାନା ଉଲ୍ଲଂଘନକାରୀଙ୍କ ଉପରେ ୫୦୦୦ ଟଙ୍କା ଜରିମାନା ଲଗାଯାଇଛି। ଭବିଷ୍ୟତରେ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁ ଗାଡି ମାଲିକମାନେ ଇଣ୍ଟରନେଟ୍‌ର ବ୍ୟବହାର କରନ୍ତି ନାହିଁ କିମ୍ବା ଟେକ୍ନୋଲୋଜି ବିଷୟରେ ଅଧିକ ଜ୍ଞାନ ନାହିଁ, ସେମାନେ ନିକଟସ୍ଥ ମୋ’ ସେବା କେନ୍ଦ୍ର କିମ୍ବା ସେମାନଙ୍କ ସୁବିଧା ଅନୁଯାୟୀ ଆର୍‌ଟିଓରେ ଥିବା ଏଚ୍‌ଏସ୍‌ଆର୍‌ପି ସୁବିଧା କେନ୍ଦ୍ର ମାଧ୍ୟମରେ ଏଚ୍‌ଏସ୍‌ଆର୍‌ପି ପାଇଁ ଆବେଦନ କରିପାରିବେ। ୨୦୧୯ ଜାନୁୟାରୀ ୧ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନଗୁଡିକରେ (ଯାହାର ନମ୍ବର ପ୍ଲେଟ୍‌ରେ ଶେଷ ଅଙ୍କ ୧, ୨, ୩, ୪, ୫ ଓ ୬ ଥିବ) ଏଚ୍‌ଏସ୍‌ଆର୍‌ପି ସଂଲଗ୍ନ କରିବାର ସମୟ ସୀମା ୨୦୨୨ ଡିସେମ୍ବର ୩୧କୁ ଧାର୍ଯ୍ୟ କରାଯାଥିଲା। ସେହିପରି ୭ ଓ ୮ ସହିତ ସମାପ୍ତ ହେଉଥିବା ଯାନଗୁଡିକର ନମ୍ବର ପାଇଁ ଶେଷ ତାରିଖ ୨୦୨୩ ଜାନୁୟାରୀ ୩୧ରେ ଶେଷ ହୋଇଛି। ୯ ଓ ୦ ସହିତ ଶେଷ ହେଉଥିବା ନମ୍ବର ବିଶିଷ୍ଟ ଯାନଗୁଡିକ ପାଇଁ ଏଚ୍‌ଏସ୍‌ଆରପି ସଂଲଗ୍ନର ଶେଷ ତାରିଖ ୨୦୨୩ ଫେବୃୟାରୀ ୨୮ ରହିଛି।