ନୂଆ ଆକାନ୍ତଙ୍କ ସଂଖ୍ୟା ୨ ଲକ୍ଷରୁ କମ୍‌: ମୃତ୍ୟୁ ସଂଖ୍ୟା ଯୋଗୁ ସ୍ଥିତି ଅସମ୍ଭାଳ…

ନୂଆଦିଲ୍ଲୀ,୨୫।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ଲକ୍‌ଡାଉନ୍‌ ପ୍ରଭାବରୁ ଧୀରେଧୀରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ମୃତକଙ୍କ ସଂଖ୍ୟା କିନ୍ତୁ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ରହିଛି। ପ୍ରଥମ ଥର ପାଇଁ ମଙ୍ଗଳବାର ଏହା ୨ ଲକ୍ଷରୁ କମ୍‌ ରହିଛି। ଏହି ସମୟ ମଧ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୬ ହଜାର ୪୨୭ରେ ପହଞ୍ଚିଛି। ଗତ ୪୨ ଦିନ ମଧ୍ୟରେ ଏହା ସବୁଠାରୁ କମ୍‌ ଦୈନିକ ସଂକ୍ରମଣ। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୩,୫୧୧ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହାପୂର୍ବରୁ ଏପ୍ରିଲ୍‌ ୧୩ରେ ଦେଶରେ ୧ ଲକ୍ଷ ୮୫ ହଜାର ୩୦୬ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ତେବେ ଅଧିକ ସଂଖ୍ୟକ ଆକାନ୍ତଙ୍କ ମୃତ୍ୟୁ ଘଟୁ ଥିବାରୁ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ଦେଖାଦେଇଛି। ଶ୍ମଶାନ ଆଗରେ ଏବେ ବି ଧାଡ଼ିଧାଡ଼ି ମୃତଦେହ ରହିଥିବାର ଦେଖିବାକୁ ମିଳୁଛି। ବର୍ତ୍ତମାନ ସୁଦ୍ଧା ୧୯ କୋଟି ୮୫ ଲକ୍ଷ ୩୮ ହଜାର ୯୯୯ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୩ କୋଟି ୨୫ ଲକ୍ଷ ୯୪ ହଜାର ୧୭୬ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।

Share