ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ପ୍ରତିଶତ କମିଲା

ନୂଆଦିଲ୍ଲୀ, ୬।୧୦: ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୧ ହଜାର ୨୬୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଏହା ୯୮ ହଜାର ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ତେବେ ଏହା ଏବେ ୩୦ ପ୍ରତିଶତ ପର୍ଯ୍ୟନ୍ତ କମିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା କମି ୮୮୪ରେ ପହଞ୍ଚିଛି। ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ଲକ୍ଷେ ୩ ହଜାର ୫୬୯ ରହିଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬ ଲକ୍ଷ ୮୫ ହଜାର ୮୩ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୫୬ ଲକ୍ଷ ୬୨ ହଜାର ୪୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ୯ଲକ୍ଷ ୧୯ ହଜାର ୨୩ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଅକ୍ଟୋବର ୫ ସୁଦ୍ଧା ଦେଶରେ ମୋଟ ୮ କୋଟି ୧୦ ଲକ୍ଷ ୭୧ ହଜାର ୭୯୭ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସୋମବାର ୧୦ ଲକ୍ଷ ୮୯ ହଜାର ୪୦୩ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି।

Share