ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୯।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁୁଛି। ଦୈନିକ ସଂକ୍ରମଣ ଗତ ୨୪ ଘଣ୍ଟାରେ ୧୧ ହଜାର ୫୦ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୮୩ ରହିଛି।

ଅପରପକ୍ଷରେ ସକ୍ରିୟ ମାମଲା କମିବାରେ ଲାଗିଛି। ଏହି ସମୟରେ ସକ୍ରିୟ ମାମଲା ୧୨ ହଜାର ତଳେ ରହିଛି। ଏହା ୧୧ ହଜାର ୩୬୫ ରହିଛି। ସେହିପରି ୨୪ ଘଣ୍ଟାରେ ୧ ହଜାର ୧୯୪ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୧ ହଜାର ୬୫୬ ଛୁଇଁଛି।

ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୦ ଲକ୍ଷ ୩୪ ହଜାର ୨୧୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୫ ଲକ୍ଷ ୧ ହଜାର ୧୯୬ ଜଣ ସୁସ୍ଥ ହୋଇ ସାରିଛନ୍ତି। ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୮୫ କୋଟି ୪୦ ଲକ୍ଷରୁ ଅଧିକ ଟପିଛି।

ସେଥିମଧ୍ୟରେ ୯୧ କୋଟି ୩୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୯ କୋଟି ୯୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଗତ ୨୪ ଘଣ୍ଟାରେ କେରଳର ସର୍ବାଧିକ ୩୫୩ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଦିଲ୍ଲୀରେ ୧୪୬ ଜଣ, ମହାରାଷ୍ଟ୍ରରେ ୧୩୦ ଜଣ ଏବଂ ମିଜୋରାମ୍‌ରେ ୧୨୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share