ଲଗାତାର ୨ ଦିନ ଦୈନିକ ମୃତ୍ୟୁ ସଂଖ୍ୟା ୫ ଶହ ତଳେ…

ନୂଆଦିଲ୍ଲୀ,୨୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୪ ଦିନ ଧରି ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହିଛି। ସେହିପରି ମୃତ୍ୟୁ ସଂଖ୍ୟା ଲଗାତାର ୨ ଦିନ ଧରି ୫ ଶହ ତଳେ ରହିଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୯ ହଜାର ୬୮୯ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୪୧୫ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୪୨ ହଜାର ୩୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ବଢ଼ିବାରେ ଲାଗିଛି। ଏହା ୯୭.୩୬ ପ୍ରତିଶତ ଛୁଇଁଛି। ଅପରପକ୍ଷରେ ୩ ଲକ୍ଷ ୯୮ ହଜାର ୧୦୦ ଜଣ ଚିକିତ୍ସିତ ହେଉଛନ୍ତି। ଦୈନିକ ପଜିଟିଭ୍‌ ହାର ୧.୩୦ ପ୍ରତିଶତ ରହିଛି। ସକ୍ରିୟ ମାମଲା ୧. ୩୦ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୨୧ ହଜାର ୩୮୨ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୪ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୪୪ କୋଟି ୧୯ ଲକ୍ଷ ୧୨ ହଜାର ୩୯୫ ଜଣ ଲୋକଙ୍କୁ ଟିକାଦାନ ସରିଛି। ଅପରପକ୍ଷରେ ଇତିମଧ୍ୟରେ ୪୫ କୋଟି ୯୧ ଲକ୍ଷ ୬୪ ହଜାର ୧୨୧ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୬ ଲକ୍ଷ ୨୧ ହଜାର ୪୬୯ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି।

Share