ମାସ୍କ୍‌ ନ ପିନ୍ଧିବା ନିର୍ଦ୍ଦେଶ ପରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

ଜେରୁଜେଲମ୍‌,୨୪।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ ନିୟମିତ ବ୍ୟବଧାନରେ ହାତଧୋଇବା ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗ ଦର୍ଶିକା ଜାରି କରାଯାଇଛି। ତେବେ କିଛି ଦିନ ପୂର୍ବରୁ ଇସ୍ରାଏଲ୍‌ ସରକାର ମାସ୍କ୍‌ ନ ପିନ୍ଧିବାକୁ ନିଦ୍ଦେର୍ଶ ଜାରି କରିଥିଲେ। ତେବେ କରୋନା ମହାମାରୀର ତୃତୀୟ ଲହର ଯୋଗୁ ଏବେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୪୦ ହଜାର ୨୨୫ ଛୁଇଁଛି। ସେହିପରି ମୃତକଙ୍କ ସଂଖ୍ୟା ୬ ହଜାର ୪୨୮ରେ ପହଞ୍ଚିଛି। ସରକାର ମାସ୍କ୍‌ ନ ପିନ୍ଧିବାକୁ ନିର୍ଦ୍ଦେଶ ଦେବାର ଏକ ସପ୍ତାହ ପରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନଫ୍ଟାଲି ବେନେଟ୍‌ ଦେଶବାସୀଙ୍କ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ମାସ୍କ୍‌ ନ ପିନ୍ଧିବା ନିର୍ଦ୍ଦେଶ ଏକ ଭୁଲ୍‌ ନିଷ୍ପତ୍ତି ଥିଲା ବୋଲି ଏବେ ପ୍ରଧାନମନ୍ତ୍ରୀ ହୃଦୟଙ୍ଗମ କରୁଛନ୍ତି। ଏହାଯୋଗୁ ପୁଣି ଦେଶକୁ କରୋନା ଫେରିଥିବା କୁହାଯାଉଛି। ସୁରକ୍ଷା ଦୃଷ୍ଟିରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଜାରି କରାଯାଇଛି।

Share