Categories: ଜାତୀୟ

ଏମ୍‌ପିରେ ବଢୁଛି ଶିଶୁ ଯୌନ ଉତ୍ପୀଡ଼ନକାରୀଙ୍କ ସଂଖ୍ୟା

ଭୋପାଳ,୧।୩: ଆମେରିକାର ନ୍ୟାଶନାଲ ସେଣ୍ଟର ଫର୍‌ ମିସିଙ୍ଗ୍‌ ଆଣ୍ଡ୍‌ ଏକ୍ସପ୍ଲୋଏଟେଡ୍‌ ଚିଲ୍‌ଡ୍ରେନ୍‌ (ଏନ୍‌ସିଏମ୍‌ଇସି) ଏଜେନ୍ସି ପକ୍ଷରୁ କରାଯାଇଥିବା ସର୍ଭେରେ ମଧ୍ୟପ୍ରଦେଶରୁ ୩୦,୦୦୦ ଶିଶୁ ଯୌନ ଉତ୍ପୀଡ଼ନକାରୀଙ୍କୁ ଚିହ୍ନଟ କରାଯାଇଛି। ଏମାନେ ଶିଶୁ ଯୌନ ଉତ୍ପୀଡ଼ନ ସାମଗ୍ରୀ (ସିଏସ୍‌ଏଏମ୍‌), ପର୍ନୋଗ୍ରାଫି ଏବଂ ଅନ୍‌ଲାଇନ୍‌ ଜରିଆରେ ଶିଶୁଙ୍କୁ ପ୍ରଲୋଭିତ କରିବା ଭଳି କାର୍ଯ୍ୟରେ ଲିପ୍ତ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏମାନଙ୍କ ମଧ୍ୟରୁ ୪,୦୦୦ ଜଣଙ୍କ ନାମତାଲିକା ୧୦ ଜିଲାକୁ ପଠାଯାଇଛି। ଇନ୍ଦୋରରେ ୨,୦୦୦ ମାମଲା, ଭୋପାଳରେ ୧୦୦୦ ଏବଂ ଏମ୍‌ପିର ଅନ୍ୟ ସହରରେ ୫୦୦ରୁ ୬୦୦ ମାମଲା ରହିଛି। କେନ୍ଦ୍ରୀୟ ଗୋଇନ୍ଦା ପକ୍ଷରୁ ହସ୍ତଗତ ଏନ୍‌ସିଏମ୍‌ଇସି ସାଇବର ଟିପ୍‌ଲାଇନ୍‌ ଡେଟା ଆଧାରରେ ଏମ୍‌ପି ପୋଲିସ ଅଭିଯୁକ୍ତଙ୍କ ଚିହ୍ନଟ କରିବା ସକାଶେ ବଡ଼ ଯୋଜନା ପ୍ରସ୍ତୁତ କରିଛି। ରାଜ୍ୟ ଗୃହ ବିଭାଗର ସୂଚନା ଅନୁସାରେ ଗିରଫ ନେଇ ଅଭିଯୁକ୍ତଙ୍କ ଏକ ନାମ ତାଲିକା ରାଜ୍ୟ ସାଇବର ସେଲ ହେଡ୍‌କ୍ୱାର୍ଟରରୁ ୧୦ ଜିଲାକୁ ପଠାସରିଛି। ସିଏସ୍‌ଏଏମ୍‌ ଅପ୍‌ଲୋଡ୍‌ ନେଇ ଏମ୍‌ପି ଶୀର୍ଷରେ ରହିଛି। ଅନ୍‌ଲାଇନ୍‌ରେ ଅପ୍‌ଲୋଡ୍‌ ହେଉଥିବା ପର୍ନୋଗ୍ରାଫିରେ ଏମ୍‌ପିର କୌଣସି ଝିଅଙ୍କର ସମ୍ପୃକ୍ତି ନ ଥିବା ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ସିଏସ୍‌ଏଏମ୍‌ ଅଭିଯୋଗରେ ଗତବର୍ଷ ୫୦ ଜଣଙ୍କୁ ଗିରଫ କରାଯାଇଛି।
୧୨ ବର୍ଷରୁ କମ୍‌ ବୟସର ନାବାଳିକାଙ୍କୁ ବଳାତ୍କାର କରିଥିବା ଦୋଷୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବା ନେଇ ଗତ ୨୦୧୭ରେ ଏମ୍‌ପି ସରକାର ବିଧାନସଭାରେ ନୂଆ ବିଧେୟ ପାସ୍‌ କରିଥିଲେ। ଆମେରିକୀୟ ଏଜେନ୍ସି ନ୍ୟାଶନାଲ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ (ଏନ୍‌ସିଆର୍‌ବି) ସହ ମିଳିତ ଭାବେ ଭାରତ ‘ସାଇବର ଟିପ୍‌ଲାଇନ୍‌’ ରିପୋର୍ଟ ନେଇ ୨୦୧୯ ଫେବୃୟାରୀ ୨୯ରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଯୌନ ଉତ୍ପୀଡ଼ନା ନେଇ ସନ୍ଦେହ ଉପୁଜିଲେ ଶିଶୁ ଏବଂ ସେମାନଙ୍କ ଅଭିଭାବକ ସାଇବର ଟିପ୍‌ଲାଇନ୍‌ ଜରିଆରେ ଅଭିଯୋଗ କରିପାରିବେ।

Share