Categories: ଜାତୀୟ

‘ସେମାନଙ୍କୁ ମାରିଦିଅ, ବାକି ମୁଁ ଦେଖିବି’, ନୁହ ହିଂସା ସମୟରେ ମନ୍ତବ୍ୟ ଦେଇଥିବା ଏଏପି ନେତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ନୂଆଦିଲ୍ଲୀ,୬।୮: ନୁହ ହିଂସା ମାମଲାରେ ହରିୟାଣା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଗୋଟିଏ ପଟେ ଅଭିଯୁକ୍ତଙ୍କ ବେଆଇନ ସମ୍ପତ୍ତି ବିରୋଧରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଚାଲିଥିବାବେଳେ ଅନ୍ୟପଟେ କଟକଣା ଜାରି କରାଯାଇଛି। ପୋଲିସ ପ୍ରତ୍ୟେକ ସିସିଟିଭି ଯାଞ୍ଚ କରୁଛି ଏବଂ ସାକ୍ଷୀଙ୍କ ବିବୃତ୍ତି ରେକର୍ଡିଂ କରୁଛି। ଏହି କ୍ରମରେ ସୋହାନା ପୋଲିସ ହରିୟାଣା ଏଏପି ନେତା ଜାଭେଦ ଅହମ୍ମଦଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରିଛି।
ପୋଲିସ କହିଛି ଯେ, ଜୁଲାଇ ୩୧ରେ ସୋହାନାରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ପ୍ରଦୀପ କୁମାରଙ୍କ ହତ୍ୟାରେ ଜାଭେଦ ଅହମ୍ମଦଙ୍କୁ ଅଭିଯୁକ୍ତ କରାଯାଇଛି। କୁହାଯାଉଛି ଯେ, ପ୍ରଦୀପଙ୍କୁ ହତ୍ୟା କରାଯିବା ପରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ପୱନ କୁମାର ସେଠାରେ ଉପସ୍ଥିତ ଥିଲେ। ଅଗଷ୍ଟ ୨ରେ ସେ ପୋଲିସ ଷ୍ଟେସନକୁ ଯାଇ ଜାଭେଦଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ, ପୋଲିସ ଏହାର ତଦନ୍ତ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ପଓ୍ବନ କହିଛନ୍ତି ଯେ, ଘଟଣାଦିନ ଜନତାଙ୍କ ମଧ୍ୟରେ ଉପସ୍ଥିତ ଥିବା ଜାଭେଦ ଅହମ୍ମଦ ତାଙ୍କୁ ହତ୍ୟା କର, ମୁଁ ବାକି ସବୁ ଦେଖିବି ବୋଲି କହିଥିଲେ। ଏହା ପରେ ଆକ୍ରମଣକାରୀମାନେ ପ୍ରଦୀପ ଏବଂ ମୋତେ କାରରୁ ବାହାର କରି ଖରାପ ପିଟିଥିଲେ।

Share