Categories: ଜାତୀୟ

ଅଶ୍ଳୀଳ ଚାଟିଂ, ବ୍ଲାକମେଲ୍‌ରୁ ଆୟ କରିଥିଲେ ୧୦ କୋଟି

ନୋଏଡା,୨୦।୮: ଫେସ୍‌ବୁକରେ ଯୁବତୀ ଓ ମହିଳାଙ୍କ ନାଁରେ ଆକାଉଣ୍ଟ ଖୋଲି ପୁରୁଷଙ୍କୁ ସହ ଯୋଗାଯୋଗ କରୁଥିଲେ। ପରେ ଅଶ୍ଳୀଳ ଚାଟିଂ ଓ ନ୍ୟୁଡ୍‌ ଭିଡିଓ କଲିଂ କରି ଲୋକଙ୍କୁ ଫସାଉଥିଲେ। ପରବର୍ତ୍ତୀ ସମୟରେ ରେକର୍ଡ ଭିଡିଓ ଦେଖାଇ ବ୍ଲାକମେଲ କରୁଥିଲେ। ଏଭଳି ଉପାୟରେ ଲୋକଙ୍କୁ ୧୦ କୋଟି ଟଙ୍କା ଠକି ଥିଲେ ହରିୟାଣାର ଦୁଇ ସାଇବର ଅପରାଧୀ। ଦୁହିଁଙ୍କୁ ଗୁରୁବାର ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି।

ଶମଶେର (୩୬) ଓ ଶାଫି ମହମ୍ମଦ (୨୭)ଙ୍କୁ ଗିରଫ କରାଯାଇଥିବା ବେଳେ ତୃତୀୟ ଅଭିଯୁକ୍ତ ଏପର୍ଯ୍ୟନ୍ତ ପୋଲିସ ହାତରେ ଲାଗି ନାହିଁ।

ନିକଟରେ ଗାଜିଆବାଦର ଜଣେ ବାସିନ୍ଦାଙ୍କ ଆକାଉଣ୍ଟରୁ ୧.୦୩ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ସାଇବର ସେଲରେ ଅଭିଯୋଗ ହୋଇଥିଲା। ପୀଡ଼ିତଙ୍କ ଘର ଭଡ଼ା ନେବା ପାଇଁ ସେନା ଅଧିକାରୀ ପରିଚୟ ଦେଇ କଥା ହୋଇଥିଲେ ଦୁଇ ଜଣ ବ୍ୟକ୍ତି। ସେମାନେ ଆଡଭାନ୍ସ ବାବଦକୁ ଟଙ୍କା ଦେବା ଲାଗି ଆକାଉଣ୍ଟର ସମସ୍ତ ବିବରଣୀ ମାଗିଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ୧.୦୩ ଲକ୍ଷ ଟଙ୍କା ଡେଭିଟ୍‌ ହୋଇଥିବା ଜଣାପଡ଼ିଥିଲା। ଏ ସଂକ୍ରାନ୍ତରେ ନୋଏଡା ସାଇବର ଥାନାରେ ଅଭିଯୋଗ କରିଥିଲେ। ଦୁଇ ଅଭିଯୁକ୍ତ ପୋଲିସ ହାତରେ ଧରା ପଡ଼ିବା ପରେ ଉଭୟ ଉପାୟରେ ମୋଟ ଅଙ୍କର ଆୟ କରିଥିବା ସ୍ବୀକାର କରିଛନ୍ତି।

Share