ପୁଟିନ୍‌ଙ୍କୁ ରୋକିବା ଲାଗି ଆଣବିକ ବୋମା ଆବଶ୍ୟକ, ୟୁକ୍ରେନ୍‌ ପ୍ରସ୍ତୁତି କରିବା ଜରୁରୀ…

ଲଣ୍ଡନ, ୨।୭ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ଶେଷ ହେବାର କୌଣସି ସମ୍ଭାବନା ମଧ୍ୟ ନାହିଁ। କିନ୍ତୁ ଜଣେ ଯୁଦ୍ଧ ବିଶେଷଜ୍ଞ କହିଛନ୍ତି ଯେ ଏହି ଯୁଦ୍ଧକୁ ରୋକିବା ପାଇଁ ୟୁକ୍ରେନ୍‌କୁ ନିଜର ଆଣବିକ ଅସ୍ତ୍ର ବିକଶିତ କରିବା ଉଚିତ। ଲଫବୋରୋ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଭ୍ଲାଡିମିର ଜେଲେନସ୍କି ଆଣବିକ ଅସ୍ତ୍ରଶସ୍ତ୍ର ତିଆରି କରିବା ଉଚିତ କିମ୍ବା ଅନ୍ୟ ଦେଶରୁ ଏହାକୁ କିଣିବା ଜରୁରୀ।

କେବଳ ଆଣବିକ ବୋମା ହିଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ଙ୍କ ଯୁଦ୍ଧ ଖୋର ମନୋଭାବକୁ ରୋକିବାକୁ ସକ୍ଷମ ହେବ।
ୟୁକ୍ରେନରେ ହୋଇଥିବା ଯୁଦ୍ଧ ଯୋଗୁଁ ହଜାର ହଜାର ଲୋକ ଓ ସୈନିକଙ୍କ ମୃତ୍ୟୁ ଘଟିଛି। ଏଥିସହ ୭୦ ଲକ୍ଷ ୟୁକ୍ରେନବାସୀ ଭିଟାମାଟି ଛାଡ଼ି ଅନ୍ୟ ଦେଶରେ ଶରଣ ନେଇଛନ୍ତି। ୟୁକ୍ରେନ ସରକାରୀ ଅଧିକାରୀମାନେ ଆକଳନ କରିଛନ୍ତି ଯେ ୨୨୩,୦୦୦ ଶିଶୁଙ୍କ ସମେତ ୧୩ ଲକ୍ଷ ଲୋକଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ରୁଷିଆକୁ ପଠାଯାଇଛି।

ଲଫବୋରୋ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ଇତିହାସର ଅଧ୍ୟାପକ ଡକ୍ଟର ପଲ ମାଡ୍ରେଲ କହିଛନ୍ତିି ଯେ ୟୁକ୍ରେନକୁ ଭାଙ୍ଗିବା, ସାମରିକକୁ ଦୁର୍ବଳ କରିବା ଏବଂ ନାଟୋର ବିସ୍ତାରକୁ ରୋକିବା ପାଇଁ ଭ୍ଲାଦିମିର ପୁଟିନଙ୍କ ଲକ୍ଷ୍ୟ। ସେ କହିଛନ୍ତି ଯେ ପୁଟିନଙ୍କ ପଦକ୍ଷେପକୁ ରୋକିବା ପାଇଁ ୟୁକ୍ରେନ ନିକଟରେ ଆଣବିକ ବୋମା ରହିବା ସର୍ବୋତ୍ତମ ଉପାୟ ହୋଇପାରେ। ସେ କହିଛନ୍ତି ମୁଁ ଯଦି ୟୁକ୍ରେନର ରାଷ୍ଟ୍ରପତି ହୋଇ ଥାଆନ୍ତି, ତେବେ ମୁଁ ଆଣବିକ ଅସ୍ତ୍ର ବିକଶିତ କରିବାକୁ ଗୁରୁତ୍ୱ ପ୍ରଦାନ କରିଥାନ୍ତି। ପୁଟିନଙ୍କୁ ରୋକିବା ପାଇଁ କେବଳ ଆଣବିକ ବୋମା ଆବଶ୍ୟକ ବୋଲି ସେ କହିଛନ୍ତି।

ମାଡ୍ରେଲ କହିଛନ୍ତି, ସୋଭିଏତ ସଂଘଠାରୁ ଅଲଗା ହେବା ପରେ, ୟୁକ୍ରେନ ପାଖରେ ଆଣବିକ ଅସ୍ତ୍ର ଥିଲା । ମାତ୍ର ପରେ ୟୁକ୍ରେନ ଏହି ବୋମାଗୁଡ଼ିକୁ ଫେରାଇ ଦେଇଥିଲା। କିନ୍ତୁ ଯଦି ୟୁକ୍ରେନ ଏସବୁକୁ ରୁଷିଆକୁ ଫେରାଇ ନଥାନ୍ତା, ତେବେ ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରି ନଥାନ୍ତେ। ମାଡ୍ରେଲ କହିଛନ୍ତି ଯେ ଯଦି ଜେଲେନସ୍କି ନାଟୋରେ ଯୋଗ ଦେଇପାରୁନାହାଁନ୍ତି, ତେବେ ସେ ଧ୍ୟାନ ଦେବା ଉଚିତ ଯେ ତାଙ୍କ ପାଇଁ ଏକମାତ୍ର ଉପାୟ ହେଉଛି ଆଣବିକ ଅସ୍ତ୍ର ବିକଶିତ କରିବା।

Share