ନୂଆପଡ଼ା,୧୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲା ନଗର ଉନ୍ନୟନ ସଂସ୍ଥା (ଡୁଡା)ର ସମୀକ୍ଷା ବୈଠକ ଶୁକ୍ରବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩ ଏନ୍ଏସି ନୂଆପଡ଼ା, ଖଡିଆଳ ଓ ଖରିଆର ରୋଡ୍ର କାର୍ଯ୍ୟାବଳୀ ସମୀକ୍ଷା କରାଯାଇଥିଲା। ରାଜସ୍ବ ସଂଗ୍ରହ, ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ, ପିଏମ୍ଏୱାଇ (ନଗର) ଓ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାର କାର୍ଯ୍ୟାନ୍ବୟନ ଉପରେ ଆଲୋଚନା ହୋଇଥିଲା।
ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ଲମ୍ବୋଦର ଧରୁଆ ବିଭିନ୍ନ ଏନ୍ଏସିର କାର୍ଯ୍ୟ ପ୍ରଗତି ଓ ଆର୍ଥିକ ତଥ୍ୟ ଉପସ୍ଥାପନ କରିଥିଲେ।
ହୋଲ୍ଡିଂ ଟ୍ୟାକ୍ସ ସଂଗ୍ରହ କ୍ଷେତ୍ରରେ ନୂଆପଡା ଏନ୍ଏସି ରାଜ୍ୟରେ ପ୍ରଥମ ଓ ଖଡିଆଳ ଏନ୍ଏସି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ନୂଆପଡା ଜିଲା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ନୂଆପଡ଼ା ଏନ୍ଏସିର ହୋଲ୍ଡିଂ ଟ୍ୟାକ୍ସ ସଂଗ୍ରହ ୩୯.୧୨ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା ବେଳେ ୫୪.୧୬ ଲକ୍ଷ ଟଙ୍କା ସଂଗ୍ରହ ହୋଇଛି, ଯାହା ଧାର୍ଯ୍ୟ ଲକ୍ଷ୍ୟର ୧୩୮ ପ୍ରତିଶତ। ସେହିପରି ଖରିଆର ଏନ୍ଏସିର ୩୫.୮୬ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା ବେଳେ ୪୮.୫୮ ଲକ୍ଷ ଟଙ୍କା ସଂଗ୍ରହ ହୋଇଛି, ଯାହା ଧାର୍ଯ୍ୟ ଲକ୍ଷ୍ୟର ୧୩୫ ପ୍ରତିଶତ। ଖରିଆର ରୋଡ୍ ଏନ୍ଏସି ମଧ୍ୟ ୬୨ ପ୍ରତିଶତ ଲକ୍ଷ୍ୟ ହାସଲ କରିଛି।
ବୈଠକରେ ନୂଆପଡା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଖଡିଆଳ ଏନ୍ଏସିର ସ୍ବାଧୀନ ମହାରଣାଙ୍କୁ ଜିଲାପାଳ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଜିଲାପାଳ ଚଳିତ ଆର୍ଥିକ ବର୍ଷରେ ଅଧିକ ପ୍ରୟାସ କରି ଜିଲାର ସମ୍ମାନକୁ ଆହୁରି ବଢ଼ାଇବା ସମସ୍ତଙ୍କ ଲକ୍ଷ୍ୟ ହେବା ଉଚିତ ବୋଲି କହିଥିଲେ। ବୈଠକରେ ୩ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ନଗର ଉନ୍ନୟନ ଓ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ।