ସେପ୍ଟେମ୍ବର ୨୦ରେ ନୂଆଖାଇ

ସମ୍ବଲପୁର,୮ା୯(ଶୁଭାଶିଷ ପାଢ଼ୀ):ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ସେପ୍ଟେମ୍ବର ୨୦ ତାରିଖରେ ପାଳନ ହେବ। ସମ୍ବଲପୁର ଝାଡୁଆପଡ଼ା ବ୍ରହ୍ମପୁରା ମନ୍ଦିର ପରିସରରେ ଗୁରୁବାର ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ପଣ୍ଡିତ ମହାସଭାରେ ଏ ନେଇ ଲଗ୍ନ ଧାର୍ଯ୍ୟ ହୋଇଛି। ଧାର୍ଯ୍ୟ ଲଗ୍ନ ଅନୁସାରେ ପୂର୍ବାହ୍ନ ୧୦ଟା ୨୭ ମିନିଟରୁ ୧୦ ଘଣ୍ଟା ୪୭ ମିନିଟ ମଧ୍ୟରେ ଇଷ୍ଟଦେବୀ ମା’ ସମଲେଇଙ୍କ ପାଖରେ ପ୍ରଥମେ ନବାନ୍ନ ଲାଗି ହେବ। ପରମ୍ପରା ଅନୁସାରେ ନବାନ୍ନ ଲାଗିପରେ ସଭିଏଁ ନୂଆ ଖାଇବେ। ପ୍ରତିବର୍ଷ ଭଳି ଗୁରୁବାର ନନ୍ଦୋତ୍ସବରେ ଝାଡୁଆପଡ଼ା ବ୍ରହ୍ମପୁରା ମନ୍ଦିରରେ ସଭା ଆୟୋଜିତ ହୋଇଥିଲା। ପଣ୍ଡିତମାନେ ପ୍ରଥମେ ବିଷ୍ଣୁ ସହସ୍ରନାମ ପାଠ କରିଥିଲେ। ପରେ ପଣ୍ଡିତ ମହାସଭାର ପଣ୍ଡିତମାନେ ନକ୍ଷତ୍ର ଗଣନା କରି ଲଗ୍ନ ଧାର୍ଯ୍ୟ କରିଥିଲେ। ବ୍ରହ୍ମପୁରା ଠାକୁରଙ୍କଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ପଣ୍ଡିତମାନେ ଧାର୍ଯ୍ୟ ଲଗ୍ନକୁ ସର୍ବସାଧାରଣରେ ପାଠ କରିଥିଲେ। ପରେ ମନ୍ଦିର ପୂଜକ ଓ ଟ୍ରଷ୍ଟବୋର୍ଡ ସଭ୍ୟମାନେ ସମଲେଇ ମନ୍ଦିର ଯାଇ ଲଗ୍ନ ଅର୍ପଣ କରିଥିଲେ। ପଣ୍ଡିତ ମହାସଭାରେ ସଭାପତି ରବିନାରାୟଣ ପଣ୍ଡା, ପଣ୍ଡିତ ଜିତେନ୍ଦ୍ର ନନ୍ଦ, ପଣ୍ଡିତ ରାକେଶ ମିଶ୍ର, ପଣ୍ଡିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ପଣ୍ଡିତ ସଚ୍ଚିଦାନନ୍ଦ ମିଶ୍ର କରଶର୍ମା, ପଣ୍ଡିତ ଲକ୍ଷ୍ମଣ ବେହେରା, ପଣ୍ଡିତ ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ପଣ୍ଡିତ ଗୋପୀନାଥ ପଣ୍ଡାଙ୍କ ସମେତ ଜିଲାର ବିଭିନ୍ନ ଅଞ୍ଚଳରୁ ପଣ୍ଡିତମାନେ ଯୋଗଦେଇଥିଲେ। ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସରୋଜ ଦଳପତ ଓ ସଭ୍ୟ ଶୁଭେନ୍ଦୁ ମିଶ୍ର, ସଞ୍ଜୟ କୁମାର ମିଶ୍ର, ଅମରନାଥ ସୂପକାର, ସୀତାକାନ୍ତ ପାଣିଗ୍ରାହୀ, ପ୍ରାଣରଞ୍ଜନ ପଣ୍ଡା, ପାର୍ଥସାରଥି ମିଶ୍ର, ଶୁଭେନ୍ଦ୍ର ପଣ୍ଡା ସଭା ଆୟୋଜନ କରିଥିଲେ।