ଭୁଶୁଡ଼ି ପଡ଼ିଲାଣି ନୂଆଗାଁ ବ୍ଲକ ଶିକ୍ଷା ବ୍ୟବସ୍ଥା

ନୂଆଗାଁ,୨୮।୯ (ଧନେଶ୍ୱର ସାହୁ)ଶିକ୍ଷା ବ୍ୟବସ୍ଥାର ତଦାରଖ, ଦାୟିତ୍ୱ, ପରିଚାଳନା ଆଦିକୁ ତଳସ୍ତରରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀଙ୍କ ହାତରେ ନ୍ୟସ୍ତ କରାଯାଇଛି। କିନ୍ତୁ କେତେଜଣ ଅଧିକାରୀ ଓ କର୍ମଚାରୀଙ୍କ ଅପାରଗତା ଯୋଗୁ ନୂଆଗାଁ ବ୍ଲକର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡିଥିବା ଅଭିଯୋଗ ହେଉଛି ।

ନୟାଗଡ଼ ଜିଲା ନୂଆଗାଁ ବ୍ଲକର ୨୨ପଞ୍ଚାୟତରେ ମୋଟ ୧୬୦ ସ୍କୁଲ କଲେଜ ରହିଛି । ସେଥିରୁ ୭୮ ପ୍ରାଥମିକ ବିଦ୍ୟାଳୟ , ୫୨ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ୨୪ ମାଧ୍ୟମିକ ବିଦ୍ୟାଳୟ ଓ ୬ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ୨୦୨୨-୨୩ ଶିକ୍ଷା ବର୍ଷର ତଥ୍ୟ ଅନୁଯାୟୀ, ସମସ୍ତ ବିଦ୍ୟାଳୟରେ ମୋଟ ୧୪୦୫୨ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ସେମାନଙ୍କୁ ପଢାଇବା ପାଇଁ ୬୦୧ ଶିକ୍ଷୟିତ୍ରୀ ଶିକ୍ଷକ ନିୟୋଜିତ ହୋଇଛନ୍ତି। ତେବେ ଏ ସମସ୍ତ ଶିକ୍ଷାନୁଷ୍ଠାନ କି ଭଳି ଚାଲିଛି , ଠିକ୍‌ ଭାବେ ପାଠ ପଢା ହେଉଛି କି ନାହିଁ , ଛାତ୍ରୀଛାତ୍ରମାନଙ୍କୁ ସରକାରଙ୍କ ତାଲିକା ଅନୁସାରେ ପୁଷ୍ଟିକର ଖାଦ୍ୟ ଦିଆଯାଉଛି କି ନାହିଁ , ୫-ଟି ଯୋଜନାରେ ସାମିଲ ହୋଇଥିବା ସ୍କୁଲରେ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ଏ ସମସ୍ତ କାର୍ଯ୍ୟକୁ ତଦାରଖ କରିବା ପାଇଁ ଶିକ୍ଷା ବିଭାଗ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ତଦାରଖ ଦାୟିତ୍ୱରେ ୧୩ କ୍ଳଷ୍ଟର ପାଇଁ ୧୩ ଜଣ ସିଆରସିସି, ୩ ଜଣ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଓ ଜଣେ ବ୍ଲକ ଶିକ୍ଷାଧିକାରୀ ରହିଛନ୍ତି। ଏତେ ସବୁ ବ୍ୟବସ୍ଥା ପରେ ମଧ୍ୟ ସ୍କୁଲଗୁଡିକ ଠିକ୍‌ ଭାବେ ଚାଲୁ ନ ଥିବା ଅଭିଯୋଗ ହେଉଛି। କେଉଁଠି ଠିକ୍‌ ସମୟରେ ଶିକ୍ଷକ ସ୍କୁଲ ଆସୁ ନାହାନ୍ତି ତ ଆଉ କେଉଁଠି ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଛି ା ଅଧିକାଂଶ ସମୟରେ ଶିକ୍ଷକ ବିନା ଛୁଟିରେ ସ୍କୁଲ ଆସୁ ନ ଥିବା ଅଭିଯୋଗ ହୋଇଛି। କିନ୍ତୁ ଏସବୁ ଖବର ଅଧିକାରୀମାନଙ୍କ ନିକଟରେ ରହୁନି । ଅଭିଯୋଗ କରାଯାଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅମଙ୍ଗ ହେଉଛନ୍ତି ଅଧିକାରୀ । ଫାମ୍ପୁଣି ଗୁନାମାଟି ସ୍କୁଲର ପ୍ରଧାନ ଶିକ୍ଷକ ଛୁଟି ନ ନେଇ ସ୍କୁଲ ଆସୁ ନାହାନ୍ତି। ସେନ୍ତେରୀ ସ୍କୁଲରେ ନିମ୍ନମାନର ଖାଦ୍ୟ ଦିଆଯିବା, କୋଷାକଟା ସ୍କୁଲର ପ୍ରଧାନଶିକ୍ଷକ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି କରିବା , ଶିକ୍ଷାନୁଷ୍ଠାନ ଭଳି ଦଣ୍ଡମୁକ୍ତ ଅଞ୍ଚଳ ମାଳିସାହି ଗତିକେଶ୍ୱର ହାଇସ୍କୁଲରେ ଛାତ୍ରମାନଙ୍କୁ ଗଛରେ ଚଢାଇ ଡାଳ କଟା ଯିବା ଆଦି ଘଟଣା ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏ ସବୁ ଘଟଣା ବାବଦରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ବରଂ ସମ୍ପୃକ୍ତ ଶିକ୍ଷକମାନଙ୍କୁ ସୁରକ୍ଷା ଦିଆଯାଉଥିବା ଅଭିଯୋଗ ହେଉଛି । ଏ ସବୁ ସମସ୍ୟା ସଂକ୍ରାନ୍ତରେ ନୂଆଗାଁ ବ୍ଲକ ଶିକ୍ଷାାଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କୁ ପଚାରିବାରେ ମୁଁ ଏଠାରେ ନୂତନ ଭାବେ ଯୋଗ ଦେଇଛି । କୌଣସି କର୍ମଚାରୀ କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗ ପାଇଲେ ତଦନ୍ତ କରି ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।