ନୂଆଦିଲ୍ଲୀ,୧୬।୭: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET UG) ୨୦୨୬ ର ପରୀକ୍ଷା ଫଳ ପ୍ରକାଶ ପାଇଛି। ମେଡିକାଲ୍ ନାମଲେଖା ଏବଂ କାଉନସେଲିଂ ପ୍ରକ୍ରିୟା ଯେପରି ସଠିକ୍ ସମୟରେ ହୋଇପାରିବ, ସେଥିପାଇଁ ଏହି ରେଜଲ୍ଟ ନିର୍ଦ୍ଧାରିତ ସମୟରେ ପ୍ରକାଶ କରାଯାଇଥିବା ଏନଟିଏ ପକ୍ଷରୁ କୁହାଯାଇଛି।
ଏହି ପରୀକ୍ଷା ଭାରତର ୫୫୧ଟି ସହର ଏବଂ ବିଦେଶର ୧୪ଟି ସହର ସମେତ ମୋଟ ୫,୪୪୦ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୨୦ ଲକ୍ଷ ପରୀକ୍ଷାର୍ଥୀ ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧.୨୧ ଲକ୍ଷ ପରୀକ୍ଷାର୍ଥୀ ବିଭିନ୍ନ ଅଣ୍ଡରଗ୍ରାଜୁଏଟ୍ ମେଡିକାଲ୍, ଡେଣ୍ଟାଲ୍, ଆୟୁଷ ଏବଂ ଆନୁଷଙ୍ଗିକ ପାଠ୍ୟକ୍ରମରେ ଆଡମିଶନ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।
ଛାତ୍ରଛାତ୍ରୀମାନେ ନିଜର ସ୍କୋରକାର୍ଡ ନୀଟ୍ର ଅଫିସିଆଲ୍ ୱେବସାଇଟ୍ (neet.nta.nic.in) ରେ ଯାଇ ଦେଖିପାରିବେ। ଏହା ସହିତ ଟପ୍ ରାଙ୍କର, ଷ୍ଟେଟ୍ ଟପର, କାଟେଗୋରୀ-ୱାଇଜ୍ ଟପର, କାଟେଗୋରୀ-ୱାଇଜ୍ କଟ୍-ଅଫ୍ ମାର୍କ ଏବଂ ବିଭିନ୍ନ ଭାଷାଭାଷୀ ପରୀକ୍ଷାର୍ଥୀଙ୍କ ସୂଚନା ସମ୍ବଳିତ ସମ୍ପୂର୍ଣ୍ଣ ତାଲିକା ଏନଟିଏ ୱେବସାଇଟ୍ରେ ପ୍ରକାଶ କରାଯାଇଛି।
ସାରା ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ ୧୩ଟି ଭାଷାରେ ପରୀକ୍ଷାର୍ଥୀମାନେ ଏହି ପରୀକ୍ଷା ଦେଇଥିଲେ। ଚଳିତ ବର୍ଷ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ୫୮ ପ୍ରତିଶତରୁ ଅଧିକ ମହିଳା (ଛାତ୍ରୀ) ରହିଛନ୍ତି। ସେହିପରି ସବୁଠାରୁ ଭଲ ପ୍ରଦର୍ଶନ କରିଥିବା ଅଧିକାଂଶ ପରୀକ୍ଷାର୍ଥୀଙ୍କ ବୟସ ୧୭ ରୁ ୧୯ ବର୍ଷ ମଧ୍ୟରେ ରହିଛି।