ବଜାର ପୁଞ୍ଜିକୁ ନେଇ ଏନ୍‌ଏସ୍‌ଇ ୩ୟ ବୃହତ୍ତମ ଷ୍ଟକ୍‌ ଏକ୍ସଚେଞ୍ଜ

ମୁମ୍ବାଇ,୨୭ା୧୧:ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ବଜାର ପୁଞ୍ଜି (ମାର୍କେଟ କ୍ୟାପିଟାଲାଇଜେଶନ) ଦୃଷ୍ଟିରୁ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟକ୍‌ ଏକ୍ସଚେଞ୍ଜ ଭାବେ ମାନ୍ୟତାଲାଭ କରିଛି । ଗତ ସେପ୍ଟେମ୍ବରରେ ଶେୟାର ବଜାରରେ ତାଲିକାଭୁକ୍ତ ହେବା ପରଠାରୁ ଏହାର ଶେୟାର ମୂଲ୍ୟରେ ଦ୍ରୁତ ବୃଦ୍ଧି ଘଟିବା ଫଳରେ ଏନ୍‌ଏସ୍‌ଇ ଜର୍ମାନୀର ଡଏଚ ବୋର୍ସ ଏବଂ ଲଣ୍ଡନ ଷ୍ଟକ୍‌ ଏକ୍ସଚେଞ୍ଜ ଗ୍ରୁପ୍‌(ଏଲ୍‌ଏସ୍‌ଇଜି)କୁ ପଛରେ ପକାଇ ତୃତୀୟ ବୃହତ୍ତମ ତାଲିକାଭୁକ୍ତ ଷ୍ଟକ୍‌ ଏକ୍ସଚେଞ୍ଜ ଭାବେ ଉଭାହୋଇଛି।

ସଦ୍ୟତମ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଏନ୍‌ଏସ୍‌ଇର ବଜାର ପୁଞ୍ଜି ପ୍ରାୟ ୬୪.୧ ବିଲିୟନ ଡଲାରରେ ପହଞ୍ଚିଛି, ଯାହା ଡଏଚ ବୋର୍ସ (୬୩.୪ ବିଲିୟନ ଡଲାର) ଏବଂ ଏଲ୍‌ଏସ୍‌ଇଜି (୬୨.୪ ବିଲିୟନ ଡଲାର) ଠାରୁ ଆଗରେ ରହିଛି। ୧୧୧.୬ ବିଲିୟନ ଡଲାର ବଜାର ପୁଞ୍ଜି ସହ ସିଏମ୍‌ଇ ଗ୍ରୁପ୍‌ ବିଶ୍ୱସ୍ତରରେ ଶୀର୍ଷରେ ରହିଥିବାବେଳେ ୯୯.୪ ବିଲିୟନ ଡଲାର ସହିତ ଇଣ୍ଟରକଣ୍ଟିନେଣ୍ଟାଲ ଏକ୍ସଚେଞ୍ଜ (ଆଇସିଇ) ଦ୍ୱିତୀୟ ସ୍ଥାନରେ ରହିଛି। ଗୁରୁବାର ଏନ୍‌ଏସ୍‌ଇ ଶେୟାର ମୂଲ୍ୟ ୩.୫୫% ପର୍ଯ୍ୟନ୍ତ ବୃଦ୍ଧି ପାଇ ୨,୪୦୦ର ସର୍ବକାଳୀନ ସ୍ତରରେ ପହଞ୍ଚିଥିଲା। ଗତ ଦୁଇଟି ଟ୍ରେଡିଂ ସେସନରେ ଏଥିରେ ପ୍ରାୟ ୯% ବୃଦ୍ଧି ଘଟିଛି। ବଜାର ପୁଞ୍ଜି ଦୃଷ୍ଟିରୁ ଏହି ଏକ୍ସଚେଞ୍ଜ ବର୍ତ୍ତମାନ ଭାରତର ତାଲିକାଭୁକ୍ତ କମ୍ପାନୀଗୁଡ଼ିକ ମଧ୍ୟରେ ୯ମ ସ୍ଥାନରେ ରହିଛି।
ତାଲିକାଭୁକ୍ତ ହେବା ପରଠାରୁ ଏନ୍‌ଏସ୍‌ଇ ଶେୟାରରେ ପ୍ରାୟ ୩୨% ବୃଦ୍ଧି ଘଟିଛି। ଏହାର ୨୨,୫୬୯ କୋଟିର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ପ୍ରାୟ ୬ଗୁଣ ସବ୍‌ସ୍କ୍ରିପସନ ହାସଲ କରିଥିଲା। ଏହି ସଦ୍ୟତମ ବୃଦ୍ଧିକୁ ବିଶ୍ୱର ଶ୍ରେଷ୍ଠ ତିନୋଟି ତାଲିକାଭୁକ୍ତ ଏକ୍ସଚେଞ୍ଜ ଅପରେଟରଙ୍କ ମଧ୍ୟରେ ସାମିଲ କରିଛି।
ଭାରତର ଦୁଇ ପ୍ରମୁଖ ଷ୍ଟକ୍‌ ଏକ୍ସଚେଞ୍ଜ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ଉପରେ ଏଚ୍‌ଏସ୍‌ବିସି ପକ୍ଷରୁ ସମୀକ୍ଷା ଆରମ୍ଭ କରାଯିବା ପରେ ଗୁରୁବାର ବିଏସ୍‌ଇ ଶେୟାର ମୂଲ୍ୟ ୫.୩୯% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏଚ୍‌ଏସ୍‌ବିସି ଏନ୍‌ଏସ୍‌ଇ ଅପେକ୍ଷା ବିଏସ୍‌ଇକୁ ଅଧିକ ସମର୍ଥନ ଦେବା ସହ ଏହାକୁ ‘ବାଏ’ ରେଟିଂ ଦେଇଥିଲା, ଯାହାକୁ ନେଇ ବିଏସ୍‌ଇ ଶେୟାର ମୂଲ୍ୟ ଦିନର ସର୍ବୋଚ୍ଚ ସ୍ତର ୩,୯୭୯ ଟଙ୍କା ଛୁଇଁଥିଲା। ଏହାଦ୍ୱାରା ନିବେଶକମାନଙ୍କ ଆୟ ୫ ବର୍ଷରେ ପ୍ରାୟ ୨,୨୫୦% ଛୁଇଁଛି।

 

Dharitri – Odisha’s No.1 Odia Daily

Share