ଇସଲାମବାଦ,୨୨।୫: ଭାରତର ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିବା “କକ୍ରୋଚ ଜନତା ପାର୍ଟି” (CJP) ବର୍ତ୍ତମାନ ପଡ଼ୋଶୀ ଦେଶ ପାକିସ୍ତାନରେ ପହଞ୍ଚିଛି। ଭାରତରେ ଆରମ୍ଭ ହୋଇଥିବା ଏହି ବ୍ୟଙ୍ଗାତ୍ମକ ଅନଲାଇନ ରାଜନୈତିକ ଆନ୍ଦୋଳନ ଏବେ ପାକିସ୍ତାନୀ ଯୁବପିଢ଼ିଙ୍କ ମଧ୍ୟରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଭାରତୀୟ ସୋସିଆଲ ମିଡିଆ ଆନ୍ଦୋଳନ ଦ୍ୱାରା ଅନୁପ୍ରାଣିତ ହୋଇ ପାକିସ୍ତାନରେ “କକ୍ରୋଚ ଆୱାମୀ ପାର୍ଟି” (CAP) ଏବଂ “କକ୍ରୋଚ ଆୱାମୀ ଲିଗ” (CAL) ଭଳି ଅନେକ ପେଜ ସାମ୍ନାକୁ ଆସିଛି। ଏହି ଆକାଉଣ୍ଟଗୁଡିକ ନିଜକୁ ’ଜେନ-ଜି’ (Gen-Z) ଯୁବପିଢ଼ିର ସ୍ୱର ବୋଲି କହୁଛନ୍ତି ଏବଂ ପାକିସ୍ତାନର ପାରମ୍ପରିକ ରାଜନୀତି ଓ ବ୍ୟବସ୍ଥା ଉପରେ କଡ଼ା ବ୍ୟଙ୍ଗ କରୁଛନ୍ତି।
ବାସ୍ତବରେ ଭାରତରେ “କକ୍ରୋଚ ଜନତା ପାର୍ଟି” ବା CJP ର ଆରମ୍ଭ ଗତ ସପ୍ତାହରେ ହୋଇଥିଲା। ଏହା ଏକ ବିବାଦୀୟ ମନ୍ତବ୍ୟ ସହ ଜଡ଼ିତ, ଯେଉଁଥିରେ ଭାରତର ଜଣେ ମୁଖ୍ୟ ବିଚାରପତି (CJI) କଥିତ ରୂପେ ବେକାର ଆକ୍ଟିଭିଷ୍ଟ ଯୁବକମାନଙ୍କୁ “କକ୍ରୋଚ” (ଅସରପା) ଏବଂ “ପାରାସାଇଟ” (ପରଜୀବୀ) ସହ ତୁଳନା କରିଥିଲେ। ଯଦିଓ ପରେ ଏହା ଉପରେ ସ୍ପଷ୍ଟୀକରଣ ଦିଆଯାଇଥିଲା, କିନ୍ତୁ ସୋସିଆଲ ମିଡିଆରେ ଏହି ବୟାନକୁ ନେଇ ଜୋରଦାର ବିତର୍କ ଛେଡ଼ିଥିଲା।
ଏହି ବିବାଦ ପରେ, ଆମେରିକାରେ ରହୁଥିବା ଭାରତୀୟ ମୂଳର ପିଆର୍ (PR) ଗ୍ରାଜୁଏଟ ତଥା ଆମ ଆଦମୀ ପାର୍ଟିର ପୂର୍ୱତନ ସହଯୋଗୀ ଅଭିଜିତ ଦିପକେ ୧୬ ମଇରେ ସୋସିଆଲ ମିଡିଆରେ “କକ୍ରୋଚ ଜନତା ପାର୍ଟି” କ୍ୟାମ୍ପେନ ଲଞ୍ଚ କରିଥିଲେ। ସେ ମଜାଳିଆ ଅନ୍ଦାଜରେ ନିଜକୁ “କକ୍ରୋଚ” ବୋଲି କହି ଏହି ଆନ୍ଦୋଳନକୁ ବେକାର ଏବଂ ବ୍ୟବସ୍ଥା ଉପରେ ଅସନ୍ତୁଷ୍ଟ ଥିବା ଯୁବପିଢ଼ିଙ୍କ ସୱର ବୋଲି ଅଭିହିତ କରିଥିଲେ।
ଭାରତରେ ଏହାର ଲୋକପ୍ରିୟତା ବଢ଼ିବା ପରେ ପାକିସ୍ତାନରେ ମଧ୍ୟ ସମାନ ଧରଣର ଆକାଉଣ୍ଟ ଦେଖିବାକୁ ମିଳିଛି। “Cockroach Awami Party” ନାମକ ଏକ ଇନଷ୍ଟାଗ୍ରାମ ପେଜ ଖୋଲାଖୋଲି ଭାବେ ସ୍ୱୀକାର କରିଛି ଯେ ସେମାନେ ଭାରତୀୟ ଆନ୍ଦୋଳନ ଦ୍ୱାରା ଅନୁପ୍ରାଣିତ। ସେମାନଙ୍କ ବାୟୋ (Bio) ରେ ଲେଖାଯାଇଛି, “ହଁ, କପି କରିଛୁ କିନ୍ତୁ କାହାକୁ କ’ଣ ଫରକ ପଡ଼େ। କଥା ତ ସେଇ ସମାନ।”
ପାକିସ୍ତାନର ଏହି ‘କକ୍ରୋଚ’ ପେଜଗଡ଼ିକ ସେଠାକାର ଜେନ-ଜି ପିଢ଼ିର ସୱର ସାଜିଛନ୍ତି। ସେମାନଙ୍କର ଦାବି ଯେ ସେମାନେ ପାକିସ୍ତାନର ପାରମ୍ପରିକ ରାଜନୀତିର ବିକଳ୍ପ ଭାବେ ଉଭା ହେବାକୁ ଚାହାଁନ୍ତି। ଅନେକ ପୋଷ୍ଟରେ ପାକିସ୍ତାନ ତେହେରିକ-ଏ-ଇନସାଫ (PTI), ପାକିସ୍ତାନ ମୁସଲିମ ଲିଗ-ନୱାଜ (PML-N) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (PPP) ଭଳି ମୁଖ୍ୟ ରାଜନୈତିକ ଦଳଗୁଡିକୁ କଟାକ୍ଷ କରାଯାଇଛି।