Categories: ଜାତୀୟ

ଏବେ ଭାଜପାର ପରାଜୟ, ହେଉଛି ଦେଶର ବିଜୟ: କଂଗ୍ରେସ

ନୂଆଦିଲ୍ଲୀ,୧୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶକୁ ସମ୍ବୋଧନ କରି ବିବାଦୀୟ ତିନି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ନିଷ୍ପତ୍ତିକୁ କୃଷକ ଏବଂ ନିଜର ବିଜୟ ବୋଲି କଂଗ୍ରେସ ବର୍ଣ୍ଣନା କରିଛି। କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ ସୁରଜେୱାଲା ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଗତ ଏକ ବର୍ଷ ଧରି ଚାଲିଥିବା ଚାଷୀଙ୍କ ସଂଗ୍ରାମ ଆଜି କାର୍ଯ୍ୟ କରିଛି। ଏବେ ଭାଜପାର ପରାଜୟ ହେଉଛି ଦେଶର ବିଜୟ। ୟୁପି, ପଞ୍ଜାବ ସମେତ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପରାଜୟର ଭୟରେ ଭାଜପା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କୃଷିର ଉନ୍ନତି ପାଇଁ ତିନୋଟି ଆଇନ ଅଣାଯାଇଥିଲା। ଯାହାଦ୍ୱାରା କ୍ଷୁଦ୍ର ଚାଷୀମାନେ ଅଧିକ ଶକ୍ତି ପାଇବେ। ବର୍ଷ ବର୍ଷ ଧରି ଏହି ଚାହିଦା ଦେଶର କୃଷକ ଏବଂ ବିଶେଷଜ୍ଞ, ଅର୍ଥନୀତିଜ୍ଞଙ୍କ ଦ୍ୱାରା ଦାବି କରାଯାଉଥିଲା। ଯେତେବେଳେ ଏହି ଆଇନଗୁଡ଼ିକ ଅଣାଯାଇଥିଲା, ସଂସଦରେ ଆଲୋଚନା ହୋଇଥିଲା। ଦେଶର କୃଷକ ଏବଂ ସଂଗଠନ ଏହାକୁ ସ୍ବାଗତ କରିଥିଲେ, ଏହାକୁ ସମର୍ଥନ କରିଥିଲେ। ଆମ ସରକାର ଦେଶର କୃଷି ଜଗତର ସ୍ବାର୍ଥରେ ଏହି ନିୟମ ଆଣିଥିଲେ। କିନ୍ତୁ ଆମେ ଏପରି ଏକ ପବିତ୍ର ନିୟମକୁ କିଛି କୃଷକଙ୍କୁ ସମ୍ପୂର୍ଣ୍ଣ ଭାବରେ ବୁଝାଇ ପାରିଲୁ ନାହିଁ। ଆମେ ପ୍ରଥମେ ବୁଝାଇବାକୁ ଚେଷ୍ଟା କଲୁ। ଏହି ମାମଲା ସୁପ୍ରିମକୋର୍ଟକୁ ମଧ୍ୟ ଯାଇଥିଲା। ଏବେ ଆମେ କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ। ଏଥିସହିତ ପ୍ରଧାନମନ୍ତ୍ରୀ ମୋଦି କୃଷକମାନଙ୍କୁ ନିବେଦନ କରିଛନ୍ତି, ଆପଣ ନିଜ ଘରକୁ ଫେରିଯାଆନ୍ତୁ, ଏକ ନୂତନ ଆରମ୍ଭ କରନ୍ତୁ।

Share