ଏଣିକି ଆବେଦନ ମାସରୁ ମିଳିବ ପେନସନ: ଦାରିଙ୍ଗବାଡ଼ିରେ ଏକୀକୃତ ପେନସନ ପୋର୍ଟାଲ ସଚେତନତା ଅଭିଯାନ

ଦାରିଙ୍ଗବାଡ଼ି,୧୪।୧୧(ଅରୁଣ ସାହୁ):ପେନସନ ପାଇବା ପାଇଁ ଆଉ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏଣିକି ଯୋଗ୍ୟ ହିତାଧିକାରୀ ଆବେଦନ କରିବା ମାସରୁ ହିଁ ପେନସନ ପାଇପାରିବେ। ଏନେଇ ଏକୀକୃତ ପେନସନ ପରିଚାଳନା ପୋର୍ଟାଲ ମାଧ୍ୟମରେ ଆବେଦନ ପ୍ରକ୍ରିୟାକୁ ସରଳ କରାଯାଇଛି। ଏହି ବ୍ୟବସ୍ଥା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରିବା ସହ ନୂତନ ମଧୁବାବୁ ପେନସନ ଯୋଜନାରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି।

ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ବ୍ଲକସ୍ତରୀୟ କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏଥିରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ପ୍ରତିନିଧିମଣ୍ଡଳୀ, ମଣ୍ଡଳ କାର୍ଯ୍ୟକର୍ତ୍ତା ଏବଂ ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧିମାନେ ଯୋଗଦେଇଥିଲେ। ବିପିସି ଜଗନ୍ନାଥ ରଥ ମଞ୍ଚ ପରିଚାଳନା କରିଥିବାବେଳେ ବିଏସଏସଓ ଆଲିଶା ବିଶୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଅବସରରେ ପେନସନ ପାଇବାରେ ହିତାଧିକାରୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାର ସରଳ ସମାଧାନ ସମ୍ପର୍କରେ ଅବଗତ କରାଯାଇଥିଲା। ଏଣିକି ଯୋଗ୍ୟ ବ୍ୟକ୍ତିମାନେ ବ୍ଲକ ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇ ଆବେଦନ କରିପାରିବେ କିମ୍ବା ଅନଲାଇନ ପୋର୍ଟାଲ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ। ଆବେଦନ କିପରି କରିବେ, ସେ ସମ୍ପର୍କରେ ଉପସ୍ଥିତ ହିତାଧିକାରୀ ଓ ସାଧାରଣ ଲୋକଙ୍କୁ ବିସ୍ତୃତ ଭାବେ ବୁଝାଯାଇଥିଲା। ବିଡିଓଙ୍କ ସମେତ ଉପସ୍ଥିତ ଅତିଥିମାନେ ଏହି ନୂତନ ବ୍ୟବସ୍ଥା ଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କୁ ଆଉ ପେନସନ ପାଇଁ ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି କହିଥିଲେ।

ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ନୂତନ ମଧୁବାବୁ ପେନସନ ଯୋଜନାରେ ମୋଟ ୪୧୭ ଜଣ ହିତାଧିକାରୀଙ୍କୁ ଅକ୍ଟୋବର ଓ ନଭେମ୍ବର ମାସର ଭତ୍ତା ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ୨୦୨ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ୩୮ ଜଣଙ୍କୁ ବିଧବା ଭତ୍ତା, ୫୨ ଜଣ ଅବିବାହିତା ମହିଳାଙ୍କୁ, ୧୦୬ ଜଣ ଦିବ୍ୟାଙ୍ଗଙ୍କୁ ଏବଂ ୧୯ ଜଣ ଛାଡ଼ପତ୍ର ପାଇଥିବା ମହିଳାଙ୍କୁ ଭତ୍ତା ବଣ୍ଟନ କରାଯାଇଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 

Share