ଆସୁଛି ଆଉ ଏକ କରୋନା ଟିକା ‘ନୋଭାଭାକ୍ସ’: ୯୦% ପ୍ରଭାବଶାଳୀ

ଓ୍ବାଶିଂଟନ୍‌,୧୪।୬: ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏହି ଅଜଣା ରୋଗ କୋଟି କୋଟି ଲୋକଙ୍କ ଜୀବନ ନେଇଛି। ଏହାକୁ ରୋକିବା ପାଇଁ ଟିକା ଏକମାତ୍ର ଅସ୍ତ୍ରୀ ବୋଲି କୁହାଯାଉଛି। ଏସବୁ ଭିତରେ ଆମେରିକାର ଟିକା ନିର୍ମାତା କମ୍ପାନୀ ନୋଭାଭାକ୍ସ ସୋମବାର ଦାବି କରିଛି ଯେ, କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକା କରୋନା ବିରୁଦ୍ଧରେ ଅତ୍ୟନ୍ତ ପ୍ରଭାବଶାଳୀ। ଆମେରିକା ଏବଂ ମେକ୍ସିକୋରେ କରାଯାଇଥିବା ଏକ ବୃହତ ତଥା ଅନ୍ତିମ ପର୍ଯ୍ୟାୟ ଅଧ୍ୟୟନରେ ଏହା ସାମ୍ନାକୁ ଆସିଛି। କମ୍ପାନୀ କହିଛି ଯେ, ଏହି ଟିକା ସାମଗ୍ରିକ ଭାବେ ୯୦ ପ୍ରତିଶତ ପ୍ରଭାବଶାଳୀ ଅଟେ। ପ୍ରାଥମିକ ତଥ୍ୟରୁ ଏହା ସୁରକ୍ଷିତ ବୋଲି ବୋଲି ଜଣାପଡିଛି। ନୋଭାଭାକ୍ସ ଟିକା ଷ୍ଟାଣ୍ଡାର୍ଡ ରେଫ୍ରିଜରେଟର ତାପମାତ୍ରାରେ ଗଚ୍ଛିତ ହୋଇପାରିବ ଏବଂ ବିତରଣ କରିବା ସହଜ। ବିକାଶଶୀଳ ଦେଶମାନଙ୍କୁ ଏହି ଟିକା ଯୋଗାଣକୁ ବିସ୍ତାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।
କମ୍ପାନୀ କହିଛି ଯେ ସେପ୍ଟେମ୍ବର ଶେଷ ସୁଦ୍ଧା ଆମେରିକା, ୟୁରୋପ ଏବଂ ଅନ୍ୟାନ୍ୟ ସ୍ଥାନରେ ବ୍ୟବହାର ପାଇଁ ଏହି ଟିକା ପାଇଁ ଅନୁମୋଦନ ଲୋଡିଛି ଏବଂ ସେତେବେଳକୁ ଏହା ମାସକୁ ୧୦୦ ନିୟୁତ ଡୋଜ ଉତ୍ପାଦନ କରିବାରେ ସକ୍ଷମ ହେବ। ନୋଭାଭାକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଷ୍ଟାନଲି ଏର୍କ କହିଛନ୍ତି ଯେ ଆମର ଅନେକ ପ୍ରାରମ୍ଭିକ ମାତ୍ରା ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶକୁ ଯିବ। ନୋଭାଭକ୍ସର ଅଧ୍ୟୟନରେ ଆମେରିକା ଏବଂ ମେକ୍ସିକୋରେ ୧୮ ବର୍ଷରୁ ଅଧିକ ବୟସ୍କ ପ୍ରାୟ ୩୦,୦୦୦ ଲୋକ ସାମିଲ ହୋଇଥିଲେ।

Share