ନୂଆପଡ଼ା,୨୨।୯(ମକାରୁ ବେମାଲ): ନୂଆପଡା ଜିଲ୍ଲା ଦିନିକିଆ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ବିଜ୍ଞାପିତ ଅଞ୍ଚଳ ପରିଷଦ, ଖରିଆର ରୋଡ଼ର ଅଧ୍ୟକ୍ଷା ଡ. ସୋନିଆ ଜୈନ ତାଙ୍କ ବାସଗୃହ ରେ ସ୍ବାଗତ କରି ପରିଷଦର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଧ୍ୟକ୍ଷା ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ନଗର ବିକାଶ ପାଇଁ ୬୫ କୋଟି ଟଙ୍କା ଅନୁଦାନ ଏବଂ ୨୨ଟି ପ୍ରମୁଖ ପ୍ରକଳ୍ପ ପ୍ରସ୍ତାବ ରଖିଥିଲେ। ସେଥିରେ ବିଶେଷ ଭାବେ ଜୋଙ୍କ ନଦୀରେ ଚେକ୍ ଡ୍ୟାମ୍ ନିର୍ମାଣ, ଏନ୍ଏସିକୁ ମ୍ୟୁନିସିପାଲିଟିର ମାନ୍ୟତା, ବାଇପାସ ରୋଡ, +୨ କଲେଜ ସ୍ଥାପନ, ଚୌପାଟି ନିର୍ମାଣ, ସହରର ଦୁଇ ପାର୍ଶ୍ୱରେ ଭବ୍ୟ ସ୍ବାଗତ ଦ୍ବାର, ବାସହରାମାନଙ୍କ ପାଇଁ ଶେଲ୍ଟର୍ ହୋମ, ଗୋଶାଳା ନିର୍ମାଣ, ନୂଆ ସର୍ବ ସୁବିଧାଯୁକ୍ତ ଖେଳପଡ଼ିଆ, ୫୦୦ କ୍ଷମତା ବିଶିଷ୍ଟ ଅଡିଟୋରିୟମ୍ , ୨୦ ମି. ଉଚ୍ଚ ରାଷ୍ଟ୍ରୀୟ ପତାକା, ସ୍ମାର୍ଟ ପାର୍କ, ସ୍ବାଗତ ଦ୍ବାର, ମୋଡେଲ ବଜାର୍ ଓ ମିନି କୋଲ୍ଡ ଷ୍ଟୋରେଜ, ଏନ୍ଏସି କର୍ମଚାରୀଙ୍କ ପାଇଁ ବାସଗୃହ,ଜୋଙ୍କ ଶାନ୍ତି ଉଦ୍ୟାନର ପୁନରୁଦ୍ଧାର,କୁରୁମୁଣ୍ଡା ଷ୍ଟାଡିୟମ ଉନ୍ନତି,ନୂଆ ପବ୍ଲିକ ଲାଇବ୍ରେରି, ସହର ସୌନ୍ଦର୍ଯ୍ୟକରଣ, ପୁରୁଣା ଏନ୍ଏସି କାର୍ଯ୍ୟାଳୟରେ ନୂଆ ମାର୍କେଟ କମ୍ପ୍ଲେକ୍ସ, ସମସ୍ତ ୧୯ଟି ୱାର୍ଡରେ ରାସ୍ତା ଓ ନାଳୀ ନିର୍ମାଣ, ୩ ଟି ପୋଖରୀର ସ୍ମାର୍ଟ ବିକାଶ, ମିନି ଷ୍ଟାଡିୟମ ଉନ୍ନତି, ଏନଏସି ପରିସରରେ ଗେଷ୍ଟ ହାଉସ୍, ହାଇଡ୍ରୋଲିକ୍ ଖନନ ମେଶିନ, ବିଭିନ୍ନ ୱାର୍ଡରେ ନୂଆ ସ୍କୁଲ ଭବନ, ଯୁବକମାନଙ୍କ ପାଇଁ ସ୍କିଲ ଡେଭେଲପମେଣ୍ଟ ସେଣ୍ଟର୍, ନୂତନ ଆମ୍ବୁଲାନ୍ସ, ହାଇଡ୍ରୋଲିକ ଚାପଯୁକ୍ତ ଅଳିଆଗାଡ଼ି, ଯନ୍ତ୍ରଚାଳିତ ସଫେଇ ମେଶିନ ଯୋଗାଣ ପାଇଁ ଦାବି କରିଛନ୍ତି। ବର୍ତ୍ତମାନ ସହରରେ ଚାଲୁଥିବା ପ୍ରମୁଖ କାମ ଅଟଳ ବସ୍ଷ୍ଟାଣ୍ଡ ୨୭ କୋଟି, ଟର୍ଫ କ୍ରିକେଟ ଗ୍ରାଉଣ୍ଡ ୧.୧୭ କୋଟି, ସ୍ବିମିଙ୍ଗପୁଲ୍ ୫୪ ଲକ୍ଷ (ଟେଣ୍ଡର୍ ପ୍ରକ୍ରିୟାରେ), ନୂଆ ପରିଷଦ ଭବନ ୩ କୋଟି (ଶୀଘ୍ର ଟେଣ୍ଡର୍ ହେବ)ଇତ୍ୟାଦି ପ୍ରକଳ୍ପ ରହିଛି। ଆଗାମୀ ଦିନରେ ଖରିଆର ରୋଡ ସମଗ୍ର ଓଡ଼ିଶାରେ ଏକ ଅଗ୍ରଣୀ ସହର ଭାବେ ପରିଚିତ ହେବ ବୋଲି ଡ. ଜୈନ ମତ ଦେଇ ମୁଖ୍ୟମନ୍ତ୍ରୀ ତଥା ନଗରବାସୀଙ୍କ ଆଶୀର୍ବାଦ ଓ ସହଯୋଗ କାମନା କରିଥିଲେ।


