ନୂଆ ଶିଶୁ ମଙ୍ଗଳ ସମିତି ଗଠନ ସମ୍ପର୍କିତ ବିଜ୍ଞପ୍ତି ସ୍ଥଗିତ, ପୂର୍ବ କମିଟି ଜାରି ରଖିବ କାର୍ଯ୍ୟ

କେନ୍ଦୁଝର,୨୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶିଶୁ ମଙ୍ଗଳ ସମିତି ଗଠନକୁ ନେଇ ଚାଲୁଥିବା ଆଇନଗତ ପ୍ରକ୍ରିୟା ମଧ୍ୟରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି। ବିଭାଗ ଜଣାଇଛି ଯେ, ନୂତନ ଶିଶୁ କଲ୍ୟାଣ ସମିତି ଗଠନ ସମ୍ବନ୍ଧୀୟ ନୋଟିଫିକେଶନକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଥିବାବେଳେ ବର୍ତ୍ତମାନର ସମିତି ତାଙ୍କ କାର୍ଯ୍ୟ ଜାରି ରଖିବ।

ବିଭାଗ ପକ୍ଷରୁ ୧୯ ମେ’ ୨୦୨୬ରେ ଜାରି ହୋଇଥିବା ନୋଟିଫିକେଶନ ନଂ ୧୧୩୫୯/WCD ଅନୁଯାୟୀ କେନ୍ଦୁଝର ଜିଲା ପାଇଁ ତିନି ବର୍ଷ ନିମନ୍ତେ ଏକ ନୂତନ ଶିଶୁ କଲ୍ୟାଣ ସମିତି ଗଠନ କରାଯାଇଥିଲା। ତେବେ ପ୍ରକାଶିତ ବିଜ୍ଞପ୍ତିରେ ଓଡ଼ିଶା ସର୍ବୋଚ୍ଚ ନ୍ୟାୟାଳୟରେ ଚାଲିଥିବା W.P.(C) No. ୧୨୭୫୯ of ୨୦୨୬ ମାମଲାର ଅନ୍ତିମ ରାୟ ଉପରେ ନିର୍ଭରଶୀଳ ରହିବ ବୋଲି ସେଥିରେ ସ୍ପଷ୍ଟ କରାଯାଇଥିଲା।

ପରେ, ୨୧ ମେ’ ୨୦୨୬ରେ ବିଭାଗ ପକ୍ଷରୁ ଜାରି ହୋଇଥିବା ପତ୍ରସଂଖ୍ୟା ୧୧୪୫୭ ମାଧ୍ୟମରେ ଅବଗତ କରାଯାଇଥିଲା ଯେ, ଉକ୍ତ ରିଟ ପିଟିସଶନର ଶୁଣାଣି ଚାଲିଥିବାରୁ ୧୯.୦୫.୨୦୨୬ର ନୋଟିଫିକେଶନ୍‌କୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ଏହା ସହିତ, ବିଭାଗ ୨୧ ମେ’ ୨୦୨୬ ରେ ଜାରି କରିଥିବା ବିଜ୍ଞପ୍ତି ସଂଖ୍ୟା ୧୧୪୬୮ ଅନୁଯାୟୀ, ବର୍ତ୍ତମାନର କେନ୍ଦୁଝର ଶିଶୁ କଲ୍ୟାଣ ସମିତିର କାର୍ଯ୍ୟକାଳ ମିଆଦ ୧୨.୦୫.୨୦୨୬ ଠାରୁ ଆଉ ଗୋଟିଏ ମାସ କିମ୍ବା ନୂତନ ସମିତି ଗଠନ ହେବା ପର୍ଯ୍ୟନ୍ତ, ଯେଉଁଟି ପ୍ରଥମେ ହେବ, ସେପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ବିଭାଗର ଏହି ସ୍ପଷ୍ଟୀକରଣ ପରେ ଏହା ସ୍ପଷ୍ଟ ହୋଇଛି ଯେ, ମେ’ ୧୯ରେ ଘୋଷିତ ନୂତନ ସମିତି ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ଏବଂ ଶିଶୁ ସୁରକ୍ଷା ଓ କଲ୍ୟାଣ ସେବାରେ ଯେପରି କୌଣସି ବ୍ୟାହତ ନ ହୁଏ ସେଥିପାଇଁ ବର୍ତ୍ତମାନର ସମିତି ଅସ୍ଥାୟୀଭାବେ କାର୍ଯ୍ୟ ଜାରି ରଖିବ।

Dharitri – Odisha’s No.1 Odia Daily

Share