୨ ଫେରାର ଅଭିଯୁକ୍ତଙ୍କ ଘରେ ଲାଗିଲା ନୋଟିସ

ମାଲକାନଗିରି, ୧୭ା୫ (ଡି.ଏନ.ଏ.): ମାଲକାନଗିରି ଜିଲା ତଣ୍ଡାପାଲି ଗ୍ରାମର ମନୋଜ ମାଡକାମିଙ୍କ ନାମରେ ନାଗପୁର ସହର କାଲମାନା ଥାନାରେ ଏନଡିପିଏସ୍‌ ମାମଲା ରହିଥିଲା। ନାଗପୁର ପୋଲିସ ତାଙ୍କୁ ଖୋଜୁଥିବା ବେଳେ ସେ ଦୀର୍ଘ ଦିନ ହେଲା ଫୋରର ରହିଛନ୍ତି। ମନୋଙ୍କୁ ବାରମ୍ବାର ନୋଟିସ ଜାରି ପରେ ମଧ୍ୟ ସେ ଫେରାର ଥିବାରୁ ନାଗପୁର କୋର୍ଟଙ୍କ ନିର୍ଦ୍ଦେଶରେ ନାଗପୁର ପୋଲିସ ମଙ୍ଗଳବାର ମାଲକାନଗିରି ପୋଲିସ ସହାୟତାରେ ମନୋଜଙ୍କ ଗ୍ରାମରେ ପହଞ୍ଚି ଘର ସମ୍ମୁଖରେ ନୋଟିସ ମାରିଛି। ତାଙ୍କୁ କୋର୍ଟରେ ହାଜର ହେବା ପାଇଁ ନୋଟିସ୍‌ରେ କୁହାଯାଇଛି। ସେହିପରି ଅନ୍ୟ ଏକ ମାମଲାରେ ମାଲକାନଗିରି ଥାନା ଅଧୀନ ପୂଜାରିମୁଣ୍ଡା ଗ୍ରାମର ଅଭିଯୁକ୍ତ ରାମ ଗେଡ(୫୩)ଙ୍କ ଘର ସମ୍ମୁଖରେ ମାଲକାନଗିରି କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ପୋଲିସ ଡେଙ୍ଗୁରା ପିଟି ପଳାତକ ନୋଟିସ୍‌ ଲଗାଇଛି। ଅଭିଯୁକ୍ତ ରାମଙ୍କ ନାମରେ ମାମଲା ଥାଇ ସୁଦ୍ଧା ସେ କୋର୍ଟରେ ହାଜର ହେଉନାହାନ୍ତି। ଆଗାମୀ ଦିନରେ ନୋଟିସ୍‌ରେ ଧାର୍ଯ୍ୟ ତାରିଖରେ କୋର୍ଟରେ ହାଜର ନ ହେଲେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତି କରାଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ ରହିଛି।