ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ନୋଟିସ

କଟକ ଅଫିସ,୨୨ା୧୦: କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ନିର୍ଗୁଣ୍ଡି ରେଳଷ୍ଟେଶନ ନିକଟରେ ଡମ୍ପିଂୟାର୍ଡକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ଏଠାରେ ବେଆଇନ ଭାବେ ଡମ୍ପିଂୟାର୍ଡ କରାଯିବା ଫଳରେ ବିଲତେରୁଅଁା ଓ ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକର ପରିବେଶ ପ୍ରଦୂଷିତ ହେଉଛି। ଏହାକୁ ତୁରନ୍ତ ବନ୍ଦ କରିବାକୁ ଗ୍ରାମବାସୀ ହାଇକୋର୍ଟରେ ଆବେଦନ କରିଛନ୍ତି। ବିଚାରପତି ଅରିନ୍ଦମ ସିହ୍ନାଙ୍କ ଖଣ୍ଡପୀଠ ଗୁରୁବାର ଉକ୍ତ ମାମଲାର ଶୁଣାଣି କରି ରେଲଓ୍ବେ ରିଜିଓନାଲ ମ୍ୟାନେଜର, ଓଡ଼ିଶା ମାଇନିଂ କର୍ପୋରେଶନର ମ୍ୟାନେଜିଂ ଡାଇରେକ୍ଟର, ଦୁଇଟି ଟ୍ରାନ୍ସପୋର୍ଟ ସଂସ୍ଥାକୁ ଜବାବ ଦାଖଲ ପାଇଁ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୦ରେ ହେବ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ତ୍ରିଲୋଚନ ବାରିକ, ରମେଶ ଚନ୍ଦ୍ର ଭୋଇ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏ. କେ. ଶର୍ମା ମାମଲା ପରିଚାଳନା କରୁଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ନିର୍ଗୁଣ୍ଡି ରେଳଷ୍ଟେଶନ ନିକଟ ରେଲଓ୍ବେ ସାଇଡିଂରେ କୋଇଲା ସମେତ ଅନ୍ୟାନ୍ୟ ଖଣିଜ ପଦାର୍ଥ ବେଆଇନ ଭାବେ ପକାଇ ଡମ୍ପିଂ କରାଯାଉଛି। ସେଗୁଡ଼ିକୁ ଲୋଡିଂ ଓ ଅନ୍‌ଲୋଡିଂ କରାଯିବାବେଳେ ବହୁ ପରିମାଣର ଧୂଳି ଉଡ଼ି ବିଲତେରୁଆଁ ଗ୍ରାମ ସମେତ ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକର ପରିବେଶ ପ୍ରଦୂଷିତ ହେଉଛି। ଲୋକମାନଙ୍କଠାରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ତେଣୁ ତୁରନ୍ତ ଏସବୁ ବନ୍ଦ କରାଯିବା ସହ ସେଠାରେ ସରକାରୀ ଜମିରେ ଚାଲିଥିବା ବେଆଇନ ରାସ୍ତା ଓ ନିର୍ମାଣକୁ ରୋକିବା ଦିଗରେ ଆଦେଶ ପ୍ରଦାନ କରିବାକୁ ବିଳାସ ଚନ୍ଦ୍ର ଭୋଇଙ୍କ ସମେତ ଗ୍ରାମବାସୀ ନିବେଦନ କରିଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ସମେତ ଓଡ଼ିଶା ମାଇନିଂ କର୍ପୋରେଶନର ମାନେଜିଂ ଡାଇରେକ୍ଟର, ନିର୍ଗୁଣ୍ଡି ଷ୍ଟେଶନ ମାଷ୍ଟର, କଟକ ଆଞ୍ଚଳିକ ପରିବହନ ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚେୟାରମ୍ୟାନ, କଟକ ଜିଲାପାଳ, ରେଲଓ୍ବେ ରିଜିଓନାଲ ମ୍ୟାନେଜର, ଦୁଇଟି ଟ୍ରାନ୍ସପୋର୍ଟ ସଂସ୍ଥାକୁ ପକ୍ଷଭୁକ୍ତ କରାଯାଇଛି।