Categories: ଖେଳ

ଭାରତୀୟ ଟିମ୍‌ ମଧ୍ୟରେ ଚାଲିଥିବା ଏହି ଘଟଣାକୁ ନେଇ ଚିନ୍ତିତ ନୁହନ୍ତି ସଞ୍ଜୁ ସାମସନ୍‌: କହିଲେ ଏପରି..

ନୂଆଦିଲ୍ଲୀ,୫।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ନିଜର ଦମଦାର ପ୍ରଦର୍ଶନ ଦେଖାଇଥିବା ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନ୍‌ ଦଳ ମଧ୍ୟରେ ଚାଲିଥିବା ପ୍ରତିଯୋଗିତାକୁ ନେଇ ଚିନ୍ତିତ ନ ଥିବା କହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ସାମସନ ୧୫ ବଲରେ ୨୫ ରନ୍‌ କରିଥିଲେ। ଏହାପରେ ଟି-୨୦ ବିଶ୍ୱକପ୍‌ ପାଇଁ ପ୍ରତିନ୍ଦ୍ୱନ୍ଦିତା କରୁଥିବା ଦଳ ମଧ୍ୟରେ ସେ ଚାପରେ ଥିବା ଅନୁଭବ କରୁଛନ୍ତି କି ପ୍ରଶ୍ନରେ ସାମସନ୍‌ କହିଛନ୍ତି, ଯଦି କିଛି ବର୍ଷ ପୂର୍ବେ ମୋତେ ଏହି ପ୍ରଶ୍ନ ପଚରାଯାଇଥାନ୍ତା ତେବେ ମୁଁ ହଁ କହିଥାନ୍ତି। ହେଲେ ଏବେ ମୁଁ ବହୁତ ମ୍ୟାଚ୍‌ ଓ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିସାରିଛି। ମୋ ପାଖରେ ଭଲ ଲୋକ ମଧ୍ୟ ଅଛନ୍ତି। ଏଣୁ ନିଜର ମାନସିକତା ସରଳ ରଖିବା ଜରୁରୀ ଏବଂ ଅନ୍ୟ ବିଷୟରେ ଭାବିବା ଉଚିତ ନୁହେଁ। ମୁଁ କେବଳ ମ୍ୟାଚ୍‌ ଜିତିବା ଲକ୍ଷ୍ୟରେ ଥାଏ। ମଉକା ମିଳିଲେ ଏଥିପାଇଁ ଯୋଗ ଦେବାକୁ ଚାହେଁ। ମଧ୍ୟକ୍ରମରେ ଥିବା ଯୋଗୁ ଭଲ ରନ୍‌ କରିବା ତାଙ୍କର ଦାୟିତ୍ୱ। ପ୍ରଥମ ୫ରୁ ୧୦ ବଲ୍‌ରେ ଭଲରେ ଖେଳିବା ଆବଶ୍ୟକ ହୁଏ। ଏଣୁ ମୁଁ ସବୁବେଳେ ବୋଲରମାନଙ୍କ ଉପରେ ଆକ୍ରମଣ ବିଷୟରେ ଚିନ୍ତା କରେ ବୋଲି ସଞ୍ଜୁ କହିଛନ୍ତି।

Share