ବ୍ୟବସ୍ଥା ନୁହେଁ, ମୋଦି ସରକାର ବିଫଳ

ନୂଆଦିଲ୍ଲୀ,୮ା୫: କୋଭିଡ୍‌-୧୯ ସଙ୍କଟରୁ ଦେଶକୁ ମୁକୁଳାଇବାରେ ବ୍ୟବସ୍ଥା ବିଫଳ ହୋଇନାହିଁ, ବରଂ ମୋଦି ସରକାର ବିଫଳ ହୋଇଛନ୍ତି ବୋଲି ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମାଲୋଚନା କରିଛନ୍ତି।
ମହାମାରୀ କରୋନା ସ୍ଥିତିକୁ ନେଇ କଂଗ୍ରେସ ପାର୍ଲାମେଣ୍ଟାରି ପାର୍ଟିର ଭର୍ଚୁଆଲ ବୈଠକରେ ସମ୍ବୋଧିତ କରି ସୋନିଆ କହିଛନ୍ତି, ଭାରତରେ ଅନେକ ଶକ୍ତି ଓ ସମ୍ବଳ ରହିଛି। ସେହିସବୁ ସମ୍ବଳକୁ ମୋଦି ସରକାର ସକାରାମତ୍କ ଭାବେ ଉପଯୋଗ କରିବାରେ ବିଫଳ ହୋଇଛନ୍ତି। କୋଭିଡ୍‌ ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲେଖିଥିବା ଚିଠିକୁ ସେ ଗୁରୁତ୍ୱ ଦେଇନାହାନ୍ତି। ସରକାର ନିଜ ପାଖରେ ହିଁ ସବୁ ଉତ୍ତର ଅଛି ବୋଲି ମନେକରି ସହାୟକ ପଦକ୍ଷେପର ପ୍ରସ୍ତାବକୁ ଅଣଦେଖା କରିଛନ୍ତି। ଏହି ଯୁଦ୍ଧ ‘ସରକାର ବନାମ ଆମେ’ ନୁହେଁ, ବରଂ ‘ଆମେ ବନାମ କରୋନା’। ତେଣୁ ସ୍ଥାୟୀ କମିଟି ବୈଠକ ଡକାଯାଉ ବୋଲି ସୋନିଆ ଦାବି କରିଛନ୍ତି। ସେହିପରି ସମସ୍ତଙ୍କୁ ମାଗଣାରେ ଟିକାକରଣ ପାଇଁ ୨୦୨୧ ବଜେଟରେ ୩୫,୦୦୦ କୋଟି ଟଙ୍କା ଆବଣ୍ଟନ କରିବା ସତ୍ତ୍ୱେ ମୋଦି ସରକାରଙ୍କ ଅକ୍ଷମତା ଯୋଗୁ ଭାକ୍ସିନ ନୀତି ବିଫଳ ହୋଇଛି। ଏଥିଯୋଗୁ ଲକ୍ଷ ଲକ୍ଷ ଦଳିତ, ଆଦିବାସୀ ଓ ଅନ୍ୟ ପଛୁଆ ବର୍ଗ ଏବଂ ଗରିବ ତଥା ବଞ୍ଚତ୍ତ ବର୍ଗ ଭାକ୍ସିନ ପାଇପାରିବେ ନାହିଁ। ଲୋକଙ୍କ ପ୍ରତି ଥିବା ଉତ୍ତରଦାୟିତ୍ୱରୁ ମୋଦି ସରକାର ମୁହଁ ମୋଡ଼ିଦେବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି ସୋନିଆ କହିଛନ୍ତି। ଅନ୍ୟପକ୍ଷରେ ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପଣ୍ଡିଚେରୀ ବିଧାନସଭା ନିର୍ବାଚନର ଫଳାଫଳ ଅତ୍ୟନ୍ତ ନୈରାଶ୍ୟଜନକ। କଂଗ୍ରେସର ଏଭଳି ଖରାପ ପ୍ରଦର୍ଶନ ଆଶା କରାଯାଉ ନ ଥିଲା। ଏହା ଉପରେ ସିଡବ୍ଲ୍ୟୁସି ଖୁବ୍‌ ଶୀଘ୍ର ସମୀକ୍ଷା କରିବ ବୋଲି ସଂସଦୀୟ ଦଳ ବୈଠକରେ ସୋନିଆ କହିଛନ୍ତି।

Share