କଟକଣାକୁ ବେଖାତିର: ପୁଣି କ୍ରୁଜ କ୍ଷେପଣାସ୍ତ୍ର ନିକ୍ଷେପ କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୨୮।୧ : ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ ସହ ତିକ୍ତତା ମଧ୍ୟରେ ଉତ୍ତର କୋରିଆ ପୁଣି ଥରେ କ୍ରୁଜ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ରବିବାର ଦିନ ଦକ୍ଷିଣ କୋରିଆର ସୈନ୍ୟବାହିନୀ କହିଛି ଉତ୍ତର କୋରିଆ ପୂର୍ବ ସାମରିକ ବନ୍ଦରରୁ ଅନେକ କ୍ରୁଜ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ତେବେ ଉତ୍ତର କୋରିଆ କେତେ କ୍ରୁଜ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଏବଂ କେତେ ଦୂର ଖସିଛି ତାହା ଦକ୍ଷିଣ କୋରିଆର ଜଏଣ୍ଟ ଅଫ ଷ୍ଟାଫ୍‌ମାନେ କହି ନାହାଁନ୍ତି।

୨୦୨୪ ବର୍ଷ ଆରମ୍ଭରୁ ଇତି ମଧ୍ୟରେ ଉତ୍ତର କୋରିଆ ତୃତୀୟ ଥର ପାଇଁ ଆଣବିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହାପୂର୍ବରୁ ଜାନୁଆରୀ ୨୪ ରେ ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ କ୍ରୁଜ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ଜାନୁଆରୀ ୧୪ ରେ, ଏକ ହାଇପରସୋନିକ ୱାରହେଡ ବହନ କରୁଥିବା ଏକ କଠିନ ଇନ୍ଧନ ମଧ୍ୟବର୍ତ୍ତୀ ସୀମା ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିଲା ।

ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ଅସ୍ତ୍ର ବିସ୍ତାରକୁ ତ୍ୱରାନ୍ବିତ କରିଥିବାରୁ ଗତ କିଛି ମାସ ମଧ୍ୟରେ କୋରିଆ ଉପଦ୍ୱୀପରେ ଉତ୍ତେଜନା ବୃଦ୍ଧି ପାଇଛି। ଉତ୍ତର କୋରିଆର ପରୀକ୍ଷଣକୁ ନେଇ ଆମେରିକା, ଜାପାନ ଏବଂ ଦକ୍ଷିଣ କୋରିଆ ଅନେକ ଥର ଚିନ୍ତା ପ୍ରକଟ କରିଛନ୍ତି। ଏହା ସହିତ ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ ସେମାନଙ୍କର ମିଳିତ ସାମରିକ ଅଭ୍ୟାସକୁ ବିସ୍ତାର କରିଛନ୍ତି।

 

Share