ସିଏସ୍‌ଆର୍‌ ପାଣ୍ଠିର ଉପଯୁକ୍ତ ବିନିଯୋଗ ହେଉନି

ଅନୁଗୋଳ ଅଫିସ,୧୬।୧୧: ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ମଙ୍ଗଳବାର ନାଲ୍‌କୋ ସିଏସ୍‌ଆର୍‌ ପାଣ୍ଠିର ଉପଯୁକ୍ତ ବିନିଯୋଗ ତଥା ପାରିପାଶର୍‌ବିକ ଗ୍ରାମଗୁଡ଼ିକର ଉନ୍ନତି ଓ ସ୍ଥାନୀୟ ନିଯୁକ୍ତିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଏମ୍‌ପି ମହେଶ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଅତିରିକ୍ତ ଜିଲାପାଳ(ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ଉପଜିଲାପାଳ ବୈତୁରା ଦୀପ, ଉପଜିଲାପାଳ ତାଳଚେର ବିଶ୍ବରଞ୍ଜନ ରଥ, ଅତିରିକ୍ତ ଆରକ୍ଷୀ ଅଧିକାରୀ ପ୍ରସନ୍ନ କୁମାର ବିଶ୍ବାଳ, ବଅଁରପାଳ ତହସିଲଦାର ଜିତେନ୍ଦ୍ର ସାହୁ, ନାଲ୍‌କୋ ସିଏମ୍‌ଡି ଶ୍ରୀଧର ପାତ୍ର, ଜିଏଜିଏମ୍‌ (ଏଚ୍‌ଆର) ସତ୍ୟାନନ୍ଦ ସାହୁ, ଇଡି ଅମ୍ବିକା ପ୍ରଶାଦ ପଣ୍ଡା, ଏଜିଏମ୍‌ ରାଜାରାମ ମିଶ୍ର, ଜମିହରା ପ୍ରଜା ଓ ଏଲ୍‌ଏପି କର୍ମଚାରୀମାନେ ଉପସ୍ଥିତ ଥିଲେ। ସ୍ଥାନୀୟ ଓ ଜମିହରା ପ୍ରଜାମାନଙ୍କ ନିଯୁକ୍ତି ଓ ସିଏସ୍‌ଆର୍‌ ପାଣ୍ଠିର ଉପଯୁକ୍ତ ବିନିଯୋଗ ହେଉ ନ ଥିବାରୁ ଏମ୍‌ପି ଅସନ୍ତୋଷ ପ୍ରକାଶ କରିଥିଲେ। ଏମ୍‌ପି ଓ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ସୁଧା ସ୍ଥାନୀୟ ନିଯୁକ୍ତି, ଏଲ୍‌ଏପି ନିଯୁକ୍ତି ଓ ସିଏସ୍‌ଆର୍‌ ପାଣ୍ଠି ବିନିଯୋଗର ସବିଶେଷ ବିବରଣୀ ଜିଲାପାଳଙ୍କୁ ଦେବା ପାଇଁ ନାଲ୍‌କୋ ସିଏମ୍‌ଡି ପ୍ରତିଶୃତି ଦେଇଥିଲେ। ଯଦି ଏହି ଦାବି ଗୁଡିକର ସମାଧାନ ନ ହେବ ତେବେ ବାରମ୍ବାର ଅର୍ଥନୈତିକ ଅବରୋଧ କରାଯିବ ବୋଲି ଏମ୍‌ପି ଚେତାବନୀ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍‌ପିଙ୍କ ପ୍ରତିନିଧି ଭକ୍ତି ପ୍ରସାଦ ଦାସ, ବିଜୁ ଯୁବ ଜନତା ଦଳର ଜିଲା ସଭାପତି ଦିନେଶ ପ୍ରଧାନ, କର୍ଣ୍ଣପୁର ସରପଞ୍ଚ ପାର୍ଥ ପ୍ରଧାନ, ଗଦାଧର ସାହୁ , ଦିବ୍ୟରଞ୍ଜନ ଦାସ ଓ ସମ୍ପାଦକ ଶଶାଙ୍କ ଶେଖର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।