ଥରେ ନୁହେଁ, ଛଅ ଥର ଭାଙ୍ଗିଛି ‘ମୋହବତେ’ ଅଭିନେତ୍ରୀଙ୍କ ହୃଦୟ; ଏବେ ପଡ଼ିଛନ୍ତି ଟେନିସ ତାରକାଙ୍କ ପ୍ରେମରେ…

ବମ୍ବେ: ଆଉ ଦିନକ ପରେ ନିଜର ୪୩ ତମ ଜନ୍ମଦିନ ପାଳନ କରିବେ ଅଭିନେତ୍ରୀ କିମ ଶର୍ମା । ବ୍ଲକବଷ୍ଟର ଚଳଚ୍ଚିତ୍ର ‘ମୋହବତେ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ସେ। ଏହାର ସଫଳତାକୁ ନେଇ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣନା କରାଯାଉଥିଲା। ଆଗାମୀ ଦିନରେ ସେ ସଫଳତାର ନୂତନ ଉପଲବ୍ଧି ହାସଲ କରିବେ ବୋଲି ବିଶ୍ୱାସ କରାଯାଉଥିଲା। ହେଲେ ତାହା ଘଟି ନ ଥିଲା।

୨୧ ଜାନୁୟାରୀ ୧୯୮୦ରେ ମହାରାଷ୍ଟ୍ରର ଅହମ୍ମଦନଗରରେ କିମ୍‌ଙ୍କ ଜନ୍ମ। ତାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି କିମ ମିସେଲ ଶର୍ମା। ଦ୍ୱାଦଶ ପର୍ଯ୍ୟନ୍ତ ଅଧ୍ୟୟନ କରିବା ପରେ ସେ ମଡେଲିଂ ଦୁନିଆରେ ପ୍ରବେଶ କରିଥିଲେ। କିମ୍‌ ପ୍ରଥମ ଟେଲିଭିଜନ ବିଜ୍ଞାପନ ‘କ୍ଲୋଜ ଅପ’ ଟୁଥପେଷ୍ଟ’ ପାଇଁ କରିଥିଲେ। ୨୦୦୦ ମସିହାରେ ସେ ଫିଲ୍ମ ‘ମୋହବତେ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ଅନେକ ଚଳଚ୍ଚିତ୍ର କରିଥିଲେ ହେଁ ତାଙ୍କୁ ସଫଳତା ମିଳି ନ ଥିଲା। ଏପରିକି ସେ ଅଭିନୟ କମ୍‌ ବ୍ୟକ୍ତିଗତ ଜୀବନକୁ ନେଇ ବେଶ ଚର୍ଚ୍ଚାରେ ରହିଥିଲେ।

ଫିଲ୍ମ ‘ମୋହବତେ’ ସମୟରେ କିମ୍‌ ଭିଜେ ୟୁଡି ଓରଫ ଯୁଧିଷ୍ଠିରଙ୍କୁ ଡେଟ କରୁଥିଲେ। କିନ୍ତୁ ଏହି ସମ୍ପର୍କ ବେଶି ଦିନ ଚାଲି ନ ଥିଲା। ୨୦୦୩ରେ ଦୁହେଁ ଅଲଗା ହୋଇଥିଲେ।

୨୦୦୪ରେ କିମ୍‌ଙ୍କ ନାମ କ୍ରିକେଟର ଯୁବରାଜ ସିଂଙ୍କ ସହ ଯୋଡ଼ା ଯାଇଥିଲା। ଉଭୟ ୨୦୦୭ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରୁଥିଲେ। ପରେ ସେମାନଙ୍କର ରାସ୍ତା ଅଲଗା ହୋଇଯାଇଥିଲା।

୨୦୦୮ରେ କିମ ସ୍ପେନ୍‌ କଳାକାର କାର୍ଲୋସଙ୍କ ପ୍ରେମରେ ପଡିଥିଲେ। କିନ୍ତୁ ୨୦୧୦ ରେ ସେମାନଙ୍କର ବ୍ରେକଅପ୍‌ ହୋଇଥିଲା। ସେ ଅଲି ପଞ୍ଜାନୀଙ୍କୁ ବିବାହ କରିଥିଲେ। ୨୦୧୬ ମସିହାରେ ଉଭୟ ଛାଡପତ୍ର ନେଇଥିଲେ।

ଜାନୁୟାରୀ ୨୦୧୭ରେ, କିମଙ୍କ ନାମ ଡିଜାଇନର୍‌ ଅର୍ଜୁନ ଖାନ୍ନାଙ୍କ ସହ ଯୋଡ଼ାଯାଇ ଥିଲା। କିନ୍ତୁ ଏହି ସମ୍ପର୍କ ମଧ୍ୟ ଏକ ବର୍ଷରୁ ଅଧିକ ସମୟ ରହିପାରି ନ ଥିଲା। ଏହାପରେ ବଲିଉଡ ଅଭିନେତା ହର୍ଷବର୍ଦ୍ଧନ ରାଣେ ତାଙ୍କ ଜୀବନରେ ଆସିଥିଲେ। କିନ୍ତୁ ସେମାନେ ବହୁତ କମ୍‌ ସମୟ ମଧ୍ୟରେ ବ୍ରେକଅପ କରିଥିଲେ।

ବର୍ତ୍ତମାନ କିମ ଟେନିସ ତାରକା ଲିଆଣ୍ଡର ପେସଙ୍କୁ ଡେଟ କରୁଥିବା ଚର୍ଚ୍ଚା ହେଉଛି। ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି।

Share