କଲ୍ୟାଣସିଂହପୁର/ରାୟଗଡ଼ା, ୩।୯(ଦୀପକ କୁମାର ପରିଡା): ସ୍ବଦେଶୀ ଜାଗରଣ ମଞ୍ଚ ରାୟଗଡ଼ା ଜିଲା ପକ୍ଷରୁ ଚାଲିଥିବା ‘ସ୍ବାବଲମ୍ବୀ ଭାରତ ଅଭିଯାନ’ (୨୧ ଅଗଷ୍ଟରୁ ୨ ଅକ୍ଟୋବର) ପରିପ୍ରେକ୍ଷୀରେ ସ୍ଥାନୀୟ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନ (UGMIT) ପରିସରରେ ଏକ ଜିଲାସ୍ତରୀୟ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କେବଳ ଚାକିରି ପଛରେ ନଗୋଡ଼ାଇ ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବାକୁ ଏଥିରେ ଯୁବପିଢ଼ିଙ୍କୁ ଆହ୍ବାନ ଦିଆଯାଇଛି।
ଏହି ସମ୍ମିଳନୀରେ ମଞ୍ଚର ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ମନୋଜ କୁମାର ନାୟକ ମୁଖ୍ୟ ଅତିଥି, କୋରାପୁଟ ବିଭାଗ ସଂଯୋଜକ ଶ୍ରୀ ତନ୍ମୟ ପ୍ରଧାନ ମୁଖ୍ୟ ବକ୍ତା ଏବଂ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଅନୀଲ କୁମାର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ଯେ, ‘ଦେଶର ସମୃଦ୍ଧି ପାଇଁ ସ୍ବଦେଶୀ ହିଁ ଏକମାତ୍ର ଶ୍ରେଷ୍ଠ ବିକଳ୍ପ। କୃଷି ଉଦ୍ୟମିତା ଓ ବୈଷୟିକ କୌଶଳ ବିକାଶ ମାଧ୍ୟମରେ ହିଁ ଯୁବପିଢ଼ି ଆତ୍ମନିର୍ଭର ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ।’ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ମହେନ୍ଦ୍ର ଲେଙ୍କା, ବିଏମଏସ ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ ଓ ଜିଲା ମହିଳା ପ୍ରମୁଖ ତଥା ଉଦ୍ୟୋଗୀ ଅଞ୍ଜଳି ପଣ୍ଡା ଯୋଗଦେଇ ସ୍ବାଭିମାନ ଓ ସ୍ବାବଲମ୍ବନର ଆବଶ୍ୟକତା ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ ଦେଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ଜିଲା ସଂଯୋଜକ ସୁଦର୍ଶନ ପାଢ଼ୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସହ-ସଂଯୋଜକ ଦେବଗିରି ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ଅତିଥି ଓ ଶତାଧିକ ଛାତ୍ରୀଛାତ୍ରଙ୍କୁ ‘ମୁଁ ବି ସ୍ବଦେଶୀ ସମର୍ଥକ’ ସଂକଳ୍ପ ପାଠ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଏମଏସ ଜିଲା ସମ୍ପାଦକ ଗଣେଶ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ। ଏହି ପ୍ରେରଣାଦାୟୀ ଅଭିଯାନ ଆସନ୍ତା ଅକ୍ଟୋବର ୨ ପର୍ଯ୍ୟନ୍ତ ଜିଲାର ସମସ୍ତ ମହାବିଦ୍ୟାଳୟରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ପରିଶେଷରେ ସହ-ସଂଯୋଜକ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

