‘ଆଳୁ, ଟମାଟର ପାଇଁ ମୁଁ ରାଜନୀତିକୁ ଆସି ନାହିଁ’

ଲାହୋର,୧୪।୩: ଆଳୁ ଓ ଟାମାଟର ଦର ଯାଞ୍ଚ କରିବା ପାଇଁ ମୁଁ ରାଜନୀତିରେ ଯୋଗ ଦେଇ ନାହିଁ। ଏଭଳି କହି ରବିବାର ବିରୋଧୀଙ୍କୁ ଜବାବ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଦେଶରେ ଆଳୁ, ଟମାଟର ଭଳି ନିହାତି ଆବଶ୍ୟକୀୟ ପରିବା ଦର ଆକାଶ ଛୁଆଁ ହୋଇଥିବାରୁ ବିରୋଧୀ ଦଳ ତାଙ୍କ ବିରୋଧରେ ନୋ କନଫିଣ୍ଡେନ୍ସ ମୋଶନ ଆଣିଛି।

ପଞ୍ଜାବ ରାଜ୍ୟର ହାଫିଜାବାଦ ସହରରେ ଏକ ରାଲିକୁ ସମ୍ବୋଧନ ଦେଇ ଇମ୍ରାନ କହିଛନ୍ତି, ଆଳୁ ଏବଂ ଟମାଟର ଦରକୁ ନିୟନ୍ତ୍ରଣ କରିବା ପାଇଁ ମୁଁ ରାଜନୀତିରେ ଯୋଗ ଦେଇ ନାହିଁ। ମୁଁ ଆମ ଦେଶର ଯୁବଗୋଷ୍ଠୀଙ୍କ ପାଇଁ ରାଜନୀତିରେ ଯୋଗ ଦେଇଛି। ଯଦି ଆମକୁ ଶକ୍ତିଶାଳୀ ଦେଶ ହେବାକୁ ଅଛି, ତେବେ ଆମକୁ ସତ୍ୟତାକୁ ସ୍ବୀକାର କରିବାକୁ ପଡ଼ିବ। ଟଙ୍କା ବଳରେ ସାଂସଦଙ୍କୁ କିଣି ତାଙ୍କ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବିରୋଧୀଙ୍କ ବିରୋଧରେ ମୋ ସହିତ ପୂରା ରାଷ୍ଟ୍ର ଛିଡ଼ା ହେବ। ମୋ କାର୍ଯ୍ୟକାଳରେ ପାକିସ୍ତାନ ଶକ୍ତଶାଳୀ ଦେଶ ହେବାକୁ ଯାଉଛି। ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅନେକ ଯୋଜନାର ସୁଫଳତା ଖୁବ୍‌ ଶୀଘ୍ର ଦେଖିବାକୁ ମିଳିବ। ଉଲ୍ଲେଖଯୋଗ୍ୟ, ୟୁନାଇଟେଡ୍‌ ବିରୋଧୀ ଫ୍ରଣ୍ଟ ପାକିସ୍ତାନ ସଂସଦରେ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିବା ଅଭିଯୋଗ ଆଣିଛନ୍ତି।

Share