କାର୍ଯ୍ୟ ସରୁନି କି କାମରେ ଲାଗୁନି

ନବରଙ୍ଗପୁର,୨୦।୨(ବି.ପ୍ର.): ପୌରସଂସ୍ଥା ଜନସାଧାରଣଙ୍କୁ ମୌଳିକ ସୁବିଧା ସୁଯୋଗ ତଥା ସେବା ଯୋଗାଇବାରେ ବିଫଳ ହୋଇଛି। ରାସ୍ତାଘାଟ ଡ୍ରେନ ଆଦି ସଫା ହେଉନି ଓ ରାସ୍ତା କଡରେ ଥିବା ଅବର୍ଜନା ନିୟମିତ ଭାବେ ଉଠୁନାହିଁ । ସରକାରଙ୍କ ମୁକ୍ତା ଯୋଜନାରେ ଲୁ ନାମରେ ଶୌଚାଳୟ ଗୁଡିକ ତିଆରି କାର୍ଯ୍ୟ ଆରମ୍ଭ ହୋଇଛି। ନବରଙ୍ଗପୁର ସହରରେ ପଥିକଙ୍କ ଉଦ୍ଦେଶ୍ୟରେ ୧୦ଟି ଲୁ ତିଆରି ଆରମ୍ଭ ହୋଇଥିଲେ ସୁଦ୍ଧା ୮ ମାସ ହେବ ତାହା ଶେଷ ହୋଇପାରୁ ନାହିଁ। କାମ କରୁଥିବା ଠିକାଦାର ମଧ୍ୟ ଅଧାରୁ ଛାଡି ଚାଲିଯାଇଛନ୍ତି। ନବରଙ୍ଗପୁର ବସଷ୍ଟାଣ୍ଡ, ଶୁଭ କଲ୍ୟାଣ ମଣ୍ଡପ ନିକଟରେ ଅର୍ଦ୍ଧନିର୍ମିତ ଭାବେ ଲୁ(ଶୌଚାଳୟ) ଅଧା କାର୍ଯ୍ୟରେ ଅଟକି ଯାଇଛି। ରାସ୍ତାଘାଟ ପାଥିକଙ୍କୁ ସୁବିଧା ସରକାର ମୁକ୍ତା ଯୋଜନାରେ ଲୁ ନିର୍ମାଣ କରୁଥିବାବେଳେ ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ତଥାପି କାର୍ଯ୍ୟରେ ଲାଗୁନାହିଁ। ସେହିଭଳି ନବରଙ୍ଗପୁର ତହସିଲ କାର୍ଯ୍ୟାଳୟ ନିକଟ, ଭାଟିଶାଳଗୁଡା ଓ କୃଷକ ବଜାର ନିକଟରେ ୨ ବର୍ଷ ହେବ ଗୋଷ୍ଠୀ ଶୌଚାଳୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ମଧ୍ୟ ତାଲା ପଡି ରହିଛି। ଅନ୍ୟ ପକ୍ଷରେ କୃଷକ ବଜାର ନିକଟରେ ଥିବା ଗୋଷ୍ଠୀ ଶୌଚାଳୟରେ ବିଭିନ୍ନ ଉପକରଣ ମଧ୍ୟ ଆଉ ଦେଖିବାକୁ ମିଳୁ ନାହିଁ। ପୌର ଅଧିକାରୀ କୁନୁ ନାୟକଙ୍କୁ ପଚାରିବାରୁ ୨ ମାସ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି।