ପତଳା ହୋଇଗଲେଣି କ୍ରୁର ଶାସକ

ପ୍ୟୋଙ୍ଗୟାଙ୍ଗ୍‌,୩୦।୧୨: ଉତ୍ତର କୋରିଆର କ୍ରୁର ଶାସକ କିମ୍‌ ଜୋଙ୍ଗ ଉନ୍‌ ନିଜ ଅଜବ ନିୟମ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। କିଛି ଦିନ ତଳେ ୧୧ ଦିନ ପାଇଁ ଦେଶର ନାଗରିକ ହସିବା, କାନ୍ଦିବା, ଶପିଂ କରିବା ଏବଂ ମଦ ପିଇବା ଉପରେ କିମ୍‌ ପ୍ରତିବନ୍ଧକ ଲଗାଇଥିଲେ। ତାଙ୍କ ପିତା କିମ୍‌ ଜୋଙ୍ଗ ଇଲଙ୍କ ମୃତ୍ୟୁ ୧୦ମ ବାର୍ଷିକୀ ପାଇଁ ସେଠାକାର ଲୋକଙ୍କୁ ଉପରେ ଏପରି ପ୍ରତିବନ୍ଧକ ଲଗାଯାଇଥିଲା। ନିକଟରେ କିମ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ କିମ୍‌ ଆଗ ଅପେକ୍ଷା ଅଧିକ ପତଳା ହୋଇଯାଇଛନ୍ତି।
ଉତ୍ତର କୋରିଆର କୋରିୟନ୍‌ ସେଣ୍ଟ୍ରାଲ୍‌ ନ୍ୟୁଜ ଏଜେନ୍ସି(କେସିଏନଏ) ଦ୍ୱାରା କିମ୍‌ଙ୍କ ପତଳା ହେବାର ଫଟୋ ଡିସେମ୍ବର ୨୮ରେ ଜାରି କରାଯାଇଥିଲା। ଏହି ଫଟୋରେ କିମ୍‌ ରୁଲିଂ ଓ୍ବାର୍କର୍ସ ପାର୍ଟିର ସେଣ୍ଟ୍ରାଲ୍‌ କମିଟିର ମିଟିଂ ସମୟରେ ପତଳା ଦେଖାଯାଉଥିଲେ। ସେ ପ୍ରାୟ ୪୦ ପାଉଣ୍ଡ୍‌ ଓଜନ କମ କରିଦେଇଛନ୍ତି।
ସରକାରୀ ଅଧିକାରୀଙ୍କ ମୁତାବକ,କିମ୍‌ ଜୋଙ୍ଗ ଦେଶରେ ଖାଦ୍ୟାଭାବ ଯୋଗୁ କମ୍‌ ଖାଦ୍ୟ ଖାଉଛନ୍ତି। ଦେଶର ପରିସ୍ଥିତି ନ ସୁଧୁରିବା ଯାଏ ସେ ଦେଶର ଲୋକଙ୍କୁ ମଧ୍ୟ କମ୍‌ ଖାଇବାକୁ ଅପିଲ୍‌ କରିଛନ୍ତି। ଏହାସହ କିମ୍‌ ସମ୍ପୂର୍ଣ୍ଣ ସୁ୍‌ସ୍ଥ ଥିବା କୁହାଯାଇଛି।

 

Share