ଉତ୍ତର କୋରିଆକୁ ଘାରିଛି ଏକଛତ୍ରବାଦୀ ଶାସକଙ୍କ ସ୍ବାସ୍ଥ୍ୟ ଚିନ୍ତା…

ପ୍ୟୋଙ୍ଗୟାଙ୍ଗ,୩୧।୭: ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍‌ଙ୍କ ସ୍ବାସ୍ଥ୍ୟ ଚିନ୍ତା ଏବେ ଉତ୍ତର କୋରିଆକୁ ଘାରିଛି। ଇତିମଧ୍ୟରେ କିମ୍‌ଙ୍କ ଓଜନ ୨୦ କିଲୋଗ୍ରାମ କମିଯାଇଛି। ନିକଟରେ ସାମରିକ ଅଧିକାରୀମାନଙ୍କୁ ଅଭିବାଦନ କରୁଥିବା ତାଙ୍କ ଫଟୋ ପ୍ରକାଶ ପାଇଥିଲା। ଫଟୋରେ କିମ୍‌ ଦୁର୍ବଳ ଦେଖାଯାଉଥିଲେ। ଏକ ମାସ ପୂର୍ବରୁ କିମଙ୍କ ସ୍ବାସ୍ଥ୍ୟକୁ ନେଇ ଗଣମାଧ୍ୟମରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ସାଧାରଣତ କିମଙ୍କ ସ୍ବାସ୍ଥ୍ୟ ଉପରେ ଆଲୋଚନା କରାଯାଇ ନ ଥାଏ ଏବଂ ଏହା ସହ ଜଡିତ ସୂଚନା ମଧ୍ୟ ଗୁପ୍ତ ରଖାଯାଇଥାଏ। କୋରିଆନ ପିପୁଲ୍ସ ଆର୍ମି କମାଣ୍ଡର ଏବଂ ପୋଲିସ ଅଧିକାରୀଙ୍କ ପ୍ରଥମ କର୍ମଶାଳାରେ କିମ୍‌ ବହୁତ ପତଳା ଦେଖାଯାଉଛନ୍ତି। ଏହି କାରଣରୁ ସେ ଅସୁସ୍ଥ ଥିବା ମଧ୍ୟ ଅନୁମାନ କରାଯାଉଛି।
ଗତ ମାସରେ, ଦେଶର କେସି ଟିଭି ପକ୍ଷରୁ କୁହାଯାଇଥିଲା ଯେ କିମଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖିବା ପରେ ଦେଶର ଲୋକେ ଭାଙ୍ଗି ପଡିଛନ୍ତି। ଉତ୍ତର କୋରିଆର ଆର୍ଥିକ ଅବସ୍ଥା ପୂର୍ବରୁ ବିଗିଡି ଯାଇଥିଲା ଏବଂ କରୋନା ମହାମାରୀ ଯୋଗୁଁ ଦେଶ ଏବେ ସଙ୍କଟ ଦେଇ ଗତି କରୁଛି। ଦେଶରେ ଖାଦ୍ୟ ସଙ୍କଟ ମଧ୍ୟ ଦେଖାଦେଇଛି ଏବଂ ସୀମା ସହ ଜଡିତ ନିୟମ ଯୋଗୁଁ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି।
ସୂଚନାଯୋଗ୍ୟ, ଅତୀତରେ, କିମଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ଖବର ଆସିଛି ଏବଂ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ଦାବି କରାଯାଇଛି। କିନ୍ତୁ କିଛି ସପ୍ତାହ କିମ୍ବା ମାସ ଅଦୃଶ୍ୟ ହେବା ପରେ କିମ ପୁଣି ସାମ୍ନାକୁ ଆସିଛନ୍ତି। ତେବେ ଏହି ସମୟ ମଧ୍ୟରେ ସେ କେଉଁଆଡେ ଯାଇଥିଲେ ଅବା କେଉଁଠି ଥିଲେ ତାହାର ରହସ୍ୟ କେହି ବି ଜାଣି ନାହାନ୍ତି।

 

Share