ଆମେରିକା, ଦକ୍ଷିଣ କୋରିଆକୁ ଚେତାବନୀ ଦେଲା ଉତ୍ତର କୋରିଆ

ସିଓଲ,୧୭।୩: ଆମେରିକା ଏବଂ ଦକ୍ଷିଣ କୋରିଆକୁ ‘କଠୋର ଚେତାବନୀ’ ଦେବା ପାଇଁ ଆନ୍ତଃ-ମହାଦୀପ ବାଲାଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ) ‘ହ୍ବାସଙ୍ଗଫୋ -୧୭’ ପରୀକ୍ଷଣ କରିଛି ବୋଲି ଉତ୍ତର କୋରିଆ କହିଛି। ଆମେରିକା ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଅଭ୍ୟାସକୁ ଉତ୍ତର କୋରିଆ ପୁଣି ଥରେ ଉତ୍ତେଜନାମୂଳକ କାର୍ଯ୍ୟକଳାପ ବୋଲି ବର୍ଣ୍ଣନା କରିଛି। ଉଭୟ ଦେଶ ବ୍ୟାପକ ପରିମାଣରେ ଆକ୍ରମଣାତ୍ମକ ଯୁଦ୍ଧାଭ୍ୟାସ ଆୟୋଜନ କରି ଉତ୍ତର କୋରିଆକୁ ଆହୁରି ଉତ୍ତେଜିତ କରୁଛନ୍ତି।
ଉତ୍ତର କୋରିଆର ଅଫିସିଆଲ ନ୍ୟୁଜ ଏଜେନ୍ସି କେସିଏନଏ କହିଛି, ଆମେରିକା ଏବଂ ଦକ୍ଷିଣ କୋରିଆର ଉତ୍ତେଜନାମୂଳକ ତଥା ଆକ୍ରମଣାତ୍ମକ ଆଭିମୁଖ୍ୟ ମାଧ୍ୟମରେ କୋରିଆ ଉପଦ୍ୱୀପରେ ଏକ ଅସ୍ଥାୟୀ ସୁରକ୍ଷା ପରିବେଶ ସୃଷ୍ଟି ହେଉଛି। ଏହି କାରଣରୁ ପରିସ୍ଥିତି ବିଗିଡି ଯାଇଛି। ଏହାକୁ ଦୃଷ୍ଟିରେ ରଖି କୋରିଆର ୱାର୍କର୍ସ ପାର୍ଟିର କେନ୍ଦ୍ରୀୟ ସାମରିକ ଆୟୋଗ ୧୬ ମାର୍ଚ୍ଚରେ ‘ହ୍ବାସଙ୍ଗଫୋ -୧୭’ ନାମକ ଏକ ଆଇସିବିଏମ କ୍ଷେପଣାସ୍ତ୍ର ପରୀକ୍ଷା କରିଛି।

Share