ପ୍ରତିରକ୍ଷା କମ୍ପାନୀଙ୍କ ଗୁପ୍ତ ତଥ୍ୟ ଚୋରି କରୁଛି ଉତ୍ତର କୋରିଆ, ୨୦୨୨ରେ ୫୨ ଶହ କୋଟି କ୍ରିପ୍ଟୋକରେନ୍ସି ଚୋରି…

ଜେନେଭା,୭।୨ : ଉତ୍ତର କୋରିଆ ବହୁ ପରିମାଣର କ୍ରିପ୍ଟୋକରେନ୍ସି ଚୋରି କରିଥିବା ଅଭିଯୋଗ ହୋଇଛି। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଉତ୍ତର କୋରିଆ ପ୍ରତିରକ୍ଷା କମ୍ପାନୀ ଏବଂ ବିଦେଶୀ ଏରୋସ୍ପେସ କମ୍ପାନୀଗୁଡିକର ନେଟୱାର୍କକୁ ଟାର୍ଗେଟ କରି ସେଠାରୁ ସମ୍ବେଦନଶୀଳ ଗୁପ୍ତ ତଥ୍ୟ ଚୋରି କରିବାକୁ ଚେଷ୍ଟା କରୁଛି। ମିଳିତ ଜାତିସଂଘର ସୁରକ୍ଷା ପରିଷଦକୁ ଏକ ନିରପେକ୍ଷ ମନିଟରିଂ ସଂସ୍ଥା ଏହି ସୂଚନା ଦେଇଛନ୍ତି। ରିପୋର୍ଟରେ ଦର୍ଶାଯାଇଛି ଯେ ଅତ୍ୟାଧୁନିକ ସାଇବର ଟେକ୍ନୋଲୋଜି ସାହାଯ୍ୟରେ ସାଇବର ଫାଇନାନ୍ସ ଏବଂ ଅସ୍ତ୍ରଶସ୍ତ୍ର ପ୍ରୋଗ୍ରାମର ଡିଜିଟାଲ ନେଟୱାର୍କକୁ ଭାଙ୍ଗି ଉତ୍ତର କୋରିଆ ସମ୍ବେଦନଶୀଳ ତଥ୍ୟ ଚୋରି କରିବାକୁ ଚେଷ୍ଟା କରୁଛି।

ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ଉତ୍ତର କୋରିଆର ହ୍ୟାକରମାନେ ସର୍ବାଧିକ ସଂଖ୍ୟକ କ୍ରିପ୍ଟୋକ୍ୟୁରେନ୍ସି ଚୋରି କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଉତ୍ତର କୋରିଆ ସହ ଜଡିତ ହ୍ୟାକରମାନେ ୬୩୦ ନିୟୁତ ଡଲାରର କ୍ରିପ୍ଟୋକ୍ୟୁରେନ୍ସି ଚୋରି କରିଛନ୍ତି ଅର୍ଥାତ ଏହା ପ୍ରାୟ ୫୨ ଶହ କୋଟି ଭାରତୀୟ ଟଙ୍କା। ଯଦିଓ ଉତ୍ତର କୋରିଆ ଏହି ସାଇବର ଆକ୍ରମଣ ଅଭିଯୋଗକୁ ଅସ୍ବୀକାର କରିଛି। ରିପୋର୍ଟରେ କୁହାଯାଇଛି ଯେ ଯେଉଁ ଟେକ୍ନୋଲୋଜି ଦ୍ୱାରା ଉତ୍ତର କୋରିଆର ହ୍ୟାକରମାନେ ହ୍ୟାକିଂ କରୁଛନ୍ତି ତାହା ଅତ୍ୟନ୍ତ ଅତ୍ୟାଧୁନିକ ଏବଂ ଏହି କାରଣରୁ ଚୋରି ହୋଇଥିବା କ୍ରିପ୍ଟୋକରେନ୍ସି ଟ୍ରାକ କରିବା ଅତ୍ୟନ୍ତ କଷ୍ଟକର ହେଉଛି।

ରିପୋର୍ଟରେ କୁହାଯାଇଛି ଯେ ଉତ୍ତର କୋରିଆର ଗୁପ୍ତଚର ସଂସ୍ଥା ଦ୍ୱାରା ନିୟନ୍ତ୍ରିତ ସଂଗଠନମାନେ ଏହି ହ୍ୟାକିଂ ଘଟଣା କରୁଛନ୍ତି। କିମସୁକି, ଲାଜାରସ ଗ୍ରୁପ ଏବଂ ଆଣ୍ଡ୍ରେଇ ପରି ସଂଗଠନଗୁଡ଼ିକ ସେମାନଙ୍କ ମଧ୍ୟରେ ପ୍ରମୁଖ।

Share