ସର୍ବସାଧାରଣ ସ୍ଥାନରେ ସ୍ତ୍ରୀଙ୍କ ସହ ଦେଖା ଦେଲେ କିମ୍‌

ପ୍ୟୋଙ୍ଗୟାଙ୍ଗ୍‌,୨ା୨: ଉତ୍ତରକୋରିଆର କ୍ରୁର ଶାସକ କିମ୍‌-ଜୋଙ୍ଗ-ଉନ୍‌ ତାଙ୍କ ସ୍ତ୍ରୀ ଏବଂ ଖୁଡ଼ୀଙ୍କ ସହ ବୁଧବାର ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। କରୋନା ମହାମାରୀ ସମୟରେ ଶାସକ ପରିବାର ବାହାରେ ଚଳପ୍ରଚଳଠାରୁ ଦୂରେଇ ରହିଥିବାରୁ ଏହା ଏକ ବିରଳ ଘଟଣା ବୋଲି କୁହାଯାଉଛି। ରାଜଧାନୀ ପ୍ୟୋଙ୍ଗୟାଙ୍ଗର ମାନସୁଦା ଆର୍ଟ ଥିଏଟରରେ ନୂତନ ବର୍ଷର ଛୁଟିଦିନରେ କିମ୍‌ଙ୍କ ସ୍ତ୍ରୀ ରି-ସୋଲ-ଜୁ ଏବଂ ତାଙ୍କ ଖୁଡ଼ୀ କିମ୍‌ କ୍ୟୋଙ୍ଗ୍‌ ହୁଇ ଏହି ଆର୍ଟ ଥିଏଟରରେ ଅଂଶଗ୍ରହଣ କରିଥିଲେ। ଯାହାକୁ ରାଜ୍ୟ ଟେଲିଭିଜନ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା।

ଗତବର୍ଷ ସେପ୍ଟେମ୍ବର ୯ରେ ରି-ସୋଲ-ଜୁ ସର୍ବସାଧାରଣରେ ଦେଖାଦେଇଥିଲେ। ସେତେବେଳେ ସେ ଦେଶ ପ୍ରତିଷ୍ଠା ବାର୍ଷିକୀ ଉତ୍ସବରେ ଉତ୍ତରକୋରିଆ ନେତା କିମ୍‌ଙ୍କ ପିତାଙ୍କ ମୃତଦେହ ଥିବା କୁମ୍‌ସୁସାନ ପ୍ୟାଲେସ ପରିଦର୍ଶନ କରିଥିଲେ।

ଏକ ରିପୋର୍ଟ ଅନୁଯାୟୀ, ଥିଏଟରର ଅଡିଟୋରିୟମରେ ସ୍ବାଗତ ସଙ୍ଗୀତ ମଧ୍ୟରେ (କିମ୍‌) ତାଙ୍କ ସ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ। ଦର୍ଶକମାନେ ତାଙ୍କ ନେତାଙ୍କୁ ଏକ ଉଚ୍ଚ ସ୍ବରରେ ସ୍ବାଗତ କରିଥିଲେ।

Share