ପସନ୍ଦର ଫୁଲ ଦେଲେନି ବୋଲି ମାଳିଙ୍କୁ ଏମିତି ସଜା ଦେଲେ ଉତ୍ତର କୋରିଆ ଶାସକ

ପ୍ୟୋଙ୍ଗୟୋଙ୍ଗ,୧୪।୨: ଉତ୍ତର କୋରିଆର କ୍ରୁର ଶାସକ ଭାବେ ପରିଚିତ କିମ ଜୋଙ୍ଗ ଉନ ପିତା କିମ ଜୋଙ୍ଗ ଇଲ୍‌ଙ୍କ ଜନ୍ମବାର୍ଷିକୀରେ ସ୍ମାରକ ଏବଂ ରାସ୍ତା ସଜାଇବା ପାଇଁ ମନପସନ୍ଦ ଫୁଲ ଦେବାରେ ବିଫଳ ହେତୁ ଅନେକ ମାଳିଙ୍କୁ କଡ଼ା ଦଣ୍ଡ ଦେଇଛନ୍ତି। ଦଣ୍ଡସ୍ବରୂପ ମାଳିଙ୍କୁ ୨୪ ଘଣ୍ଟିଆ ଶ୍ରମ ଶିବିରକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ପୂର୍ବତନ ଏକଛତ୍ରବାଦୀ ଶାସକ ଜୋଙ୍ଗ-ଇଲଙ୍କ ପ୍ରିୟ ଫୁଲର ନାମ ବେଗୋନିଆ। ଫେବୃଆରୀ ୧୬ରେ କିମ ଜୋଙ୍ଗ-ଇଲଙ୍କ ଜନ୍ମ ବାର୍ଷିକୀ ଅବସରରେ ବଗିଚାଗୁଡିକରେ ଏହି ଫୁଲଗୁଡ଼ିକୁ ଫୁଟିଥିବା ଆବଶ୍ୟକ ଥିଲା। କିନ୍ତୁ ସେମାନେ ସଫଳ ହୋଇପାରି ନ ଥିଲେ। ଉତ୍ତର ରିଆଙ୍ଗଙ୍ଗ ପ୍ରଦେଶର ସାମସୁ ଜିଲାର ଜଣେ ଫାର୍ମ ମ୍ୟାନେଜର ଏପରି କାମ ନ କରିପାରିବାରୁ ତାଙ୍କୁ ୬ ମାସ ଜେଲ ଦଣ୍ଡ ଦିଆଯାଇଛି।
କିମ ଜୋଙ୍ଗ-ଇଲଙ୍କ ଜନ୍ମ ବାର୍ଷିକୀ ଉତ୍ତର କୋରିଆର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଛୁଟିଦିନ ଅଟେ। ଏହି ଅବସରରେ ଛୋଟ ଛୋଟ ଭୁଲ ପାଇଁ ମଧ୍ୟ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଲୋକଙ୍କୁ କଠୋର ଦଣ୍ଡ ଦିଅନ୍ତି।

Share