Categories: ଜାତୀୟ

ଆସାମ-ମିଜୋରାମ ବିବାଦ: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୨।୮: ଆସାମ-ମିଜୋରାମ ସୀମାରେ ଜାରି ରହିଥିବା ହିଂସା ସ୍ଥିତି ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ଉତ୍ତର-ପୂର୍ବ ରାଜ୍ୟର ଭାଜପା ଏମ୍‌ପିମାନେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧିମଣ୍ଡଳରେ ଉତ୍ତର-ପୂର୍ବ ରାଜ୍ୟର ୧୬ଜଣ ଏମ୍‌ପିଙ୍କ ସମେତ କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ ମଧ୍ୟ ସାମିଲ ହୋଇଥିଲେ। ଏହି ସାକ୍ଷାତକାରରେ ଭାଜପା ଏମ୍‌ପିମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ସ୍ମାରକପତ୍ର ଦେବା ସହ କଂଗ୍ରେସ ବିରୋଧରେ ଅଭିଯୋଗ ଆଣିଛନ୍ତି। ଆସାମ ଓ ମିଜୋରାମ ସୀମା ପ୍ରସଙ୍ଗକୁ ନେଇ କଂଗ୍ରେସ ରାଜନୀତିକରଣ କରିବା ସହ ଉତ୍ତେଜନାମୂଳକ ବିବୃତ୍ତି ଦେଉଛି ବୋଲି ଭାଜପା ଏମ୍‌ପିମାନେ ଅଭିଯୋଗ କରିଛନ୍ତି। ତେବେ ସୀମା ବିବାଦ ପୁରୁଣା ଏବଂ ଆସାମ ଓ ମିଜୋରାମ ସରକାର ଏହାର ସମାଧାନ ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ ଏହି ସମୟରେ କଂଗ୍ରେସ ଏବଂ କେତେକ ରାଜନୈତିକ ଦଳ ହିଂସା ସୃଷ୍ଟି କରିବା ପାଇଁ ଉତ୍ତେଜନାମୂଳକ ବିବୃତ୍ତି ଦେଉଛନ୍ତି। ସୋସିଆଲ ମିଡିଆରେ ତାଙ୍କର ହସ୍ତକ୍ଷେପ ବିଦେଶରୁ ମଧ୍ୟ ସାମ୍ନାକୁ ଆସୁଛି ବୋଲି ରିଜିକୁ କହିଛନ୍ତି। ତେବେ ଏହାକୁ ନେଇ ମୋଦି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଉତ୍ତର-ପୂର୍ବ ରାଜ୍ୟ ପ୍ରତି ତାଙ୍କର ଭଲପାଇବା ସ୍ବାଭାବିକ ରହିଛି। ତେବେ ଏହାକୁ ରାଜନୈତିକ ଦୃଷ୍ଟିରେ ଦେଖିବା ଉଚିତ୍‌ ନୁହେଁ ବୋଲି ମୋଦି କହିଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ କିରନ ରିଜିଜୁ ଏନେଇ ସୂଚନା ଦେଇଛନ୍ତି।

Share