ନର୍ଲା ଡାକ୍ତରଖାନାରେ ନାହାନ୍ତି ବିଶେଷଜ୍ଞ ଡାକ୍ତର

ପଲମ,୬।୫ (ଡି.ଏନ୍‌.ଏ.) କଳାହାଣ୍ଡି ଜିଲା ନର୍ଲା ସରକାରୀ ଡାକ୍ତରଖାନାରେ ନାହଁ।ନ୍ତି ବିଶେଷଜ୍ଞ ଡାକ୍ତର। ରାଜ୍ୟ ସରକାର ସବୁବେଳେ ମହିଳା ଓ ସେବା ପ୍ରତି ସବୁ ସମୟରେ ପ୍ରାଥମିକତା ଦେଇ ଆସୁଥିବାବେଳେ ସ୍ଥାନୀୟ ନେତୃତ୍ୱ ଓ ପ୍ରଶାସନିକ ଅଧିକାରୀଙ୍କ ଯୋଗଁ ଏହାର ଗୁରୁତ୍ୱ ରହୁନାହିଁ। ନର୍ଲା ବ୍ଲକରେ ସମନ୍ବିତ ଶିଶୁ ବିକାଶ ଅଧିନରେ ୭ଟି ସେଣ୍ଟର ରହିଛି। ନର୍ଲା ସେଣ୍ଟରରେ ଗର୍ଭବତୀଙ୍କ ସଂଖ୍ୟା୧୮୧ ରହିଥିବାବେଳେ ଭାନପୁର ୧୧୫, ପଲମ ୯୮, ରୁପ୍ରା ୧୩୫, ରୁପ୍ରାରୋଡ ୧୧୭, ଶାତପୁର ୧୩୨ ଓ ତୁଲାପଡ଼ା ୧୨୩। ସମୁଦାୟ ୭ କେନ୍ଦ୍ରରେ ୯୦୧ ଗର୍ଭବତୀ ମହିଳା ଅଛନ୍ତି। ସେହିପରି ନର୍ଲାରେ ପ୍ରସବ କରିଛନ୍ତି ୧୮୧, ଭାନପୁର ୯୪, ପଲମ ୯୩, ରୁପ୍ରା ୧୩୪, ରୁପ୍ରାରୋଡ ୧୧୩, ଶାତପୁର ୧୩୭ ଓ ତୁଲାପଡା ୧୨୭। ଏହା ବ୍ୟତୀତ ଜନ୍ମରୁ ୬ ବର୍ଷର ଶିଶୁ ସଂଖ୍ୟା ଉପରୋକ୍ତ ହିସାବ ଅନୁଯାୟୀ ୭ କେନ୍ଦ୍ରରେ ୧୧୨୮୧ଜଣ ରହିଛନ୍ତି। ହେଲେ ପରିତାପର ବିଷୟ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ଯାଏଁ ଜଣେ ପ୍ରସୂତୀ ବିଶେଷଜ୍ଞ ଓ ଶିଶୁରୋଗ ବିଶେଷଜ୍ଞଙ୍କୁ ଜିଲା ସ୍ବାସ୍ଥ୍ୟ ବିଭାଗ ନିଯୁକ୍ତି ଦେଇପାରିନାହିଁ। ଫଳରେ ମହିଳା ଓ ଶିଶୁ କିପରି ସେବା ପାଉଥିବେ ତାହା ଅନୁମେୟ ହେଉଛି। ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଯୋଗୁ ଲୋକେ ଭବାନିପାଟଣା, ବିଷମକଟକ, ବୁର୍ଲା, ବରଗଡ,ବଲାଙ୍ଗିର, ଭୁବନେଶ୍ୱର, କଟକ, ବିଶାଖାପାଟଣା ଭଳି ଦୁରଦୁରାନ୍ତର ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି। ୯ଟି ଡାକ୍ତର ପଦବୀ ଥିଲେ ହେଁ କେହି ଜଣେ ହେଲେ ଡାକ୍ତର ସ୍ଥାୟୀ ଭାବରେ ରହିନାହଁ।ନ୍ତି। ବିଶ୍ୱନାଥପୁର ଗୋଷ୍ଠୀ କେନ୍ଦ୍ରରୁ ଡେପୁଟେସନରେ ଆସି ରୋଗୀଙ୍କ ସେବା ଯୋଗାଉଛନ୍ତି ଡ. ଅକ୍ଷୟକୁମାର ଗୋଚ୍ଛାୟତ  ଅନ୍ୟ ୨ଜଣ ଡାକ୍ତର ସ୍ନାତକୋତ୍ତର ଶିକ୍ଷା ପାଇଁ ଯାଉଥିବାବେଳେ ନର୍ଲାରେ ନିଯୁକ୍ତି ପାଇଥିବା ଜଣେ ଡାକ୍ତର ଚପରିଆରେ ଡେପୁଟସନରେ କାମ କରୁଛନ୍ତି। ସେହିପରି ୨ଜଣ ଚୁକ୍ତିଭିତ୍ତିକ ଭାବରେ କାମ କରୁଛନ୍ତି। ସ୍ବାସ୍ଥ୍ୟ କେନ୍ଦ୍ର ବାହାରକୁ ଚକାଚକ ଦେଖାଯାଉଥିବା ବେଳେ ଭିତରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର ଜଳଜଳ ହୋଇ ଦେଖାଯାଉଛି। ଏଣୁ ସ୍ବାସ୍ଥ୍ୟ ବିଭାଗ ଏ ଉପରେ ବିଶେଷ ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି। ଏ ସମ୍ପର୍କରେ ସିଡିପିଓ ନିବାସିନୀ ବିଶ୍ୱାଳଙ୍କୁ ପଚାରିବାରୁ ଆମକୁ ବିଶେଷଜ୍ଞ ଡାକ୍ତର ନିହାତି ଦରକାର। ଏ ନେଇ ସ୍ବାସ୍ଥ୍ୟ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛି ବୋଲି ସେ କହିଛନ୍ତି।