Categories: ଜାତୀୟ

ସରକାରୀ କାର୍ଯ୍ୟକ୍ରମରେ ଆମିଷ ଭୋଜନ-ବେସରକାରୀ କ୍ଷେତ୍ରରେ ଲାଞ୍ଚ କାରବାର ବିରୋଧରେ ଅଣାଯିବ ବିଧେୟକ…

ନୂଆଦିଲ୍ଲୀ,୧।୧୨ : ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଆମିଷ ଭୋଜନ ପରସା ନ ଯିବାକୁ ଏବଂ ବେସରକାରୀ କ୍ଷେତ୍ରରେ ଲାଞ୍ଚ କାରବାର ବିରୋଧରେ ସଂସଦର ଶୀତକାଳୀନ ଅଧିବେଶନରେ ଏହି ପରିପ୍ରେକ୍ଷୀରେ ଏକ ଘରୋଇ ବିଲ ଅଣାଯିବାର ଯୋଜନା ରହିଛି।

ଏହି ଦୁଇଟି ଘରୋଇ ବିଲ ବ୍ୟତୀତ ଅନ୍ୟ କେତେକ ସମାନ ବିଲ ଶୀତ ଅଧିବେଶନରେ ଅଣାଯିବାର ସମ୍ଭାବନା ଅଛି। ଲୋକସଭାର ବିଚାର ପାଇଁ ସଦସ୍ୟମାନେ ମୋଟ ୨୦ ଟି ଘରୋଇ ବିଲ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ଏଗୁଡିକ ଲୋକସଭାର କାର୍ଯ୍ୟସୂଚୀରେ ତାଲିକାଭୁକ୍ତ କରାଯାଇଛି। ତେବେ, ସଂକ୍ଷିପ୍ତ ଆଲୋଚନା ପରେ ଅଧିକାଂଶ ଘରୋଇ ବିଲକୁ ପ୍ରାୟତଃ ଖାରଜ କରି ଦିଆଯାଇଥାଏ। ସ୍ବାଧୀନତା ପରଠାରୁ ଏପର୍ଯ୍ୟନ୍ତ କେବଳ ୧୪ ଟି ଏଭଳି ବିଲ ପାରିତ ହୋଇଛି। ଶେଷ ଘରୋଇ ବିଲ ୧୯୭୦ ରେ ପାରିତ ହୋଇଥିଲା।

ପଶ୍ଚିମ ଦିଲ୍ଲୀର ସଂସଦୀୟ ନିର୍ବାଚନମଣ୍ଡଳୀରୁ ଭାଜପା ଏମ୍‌ପି ପ୍ରଭେଶ ସାହେବ ସିଂ ବର୍ମା ସରକାରୀ କାର୍ଯ୍ୟକ୍ରମରେ ଆମିଷ ଭୋଜନ ପରସା ନଯିବାଉପରେ ପ୍ରତିବନ୍ଧକ ଲଗାଇବାକୁ ଏକ ଘରୋଇ ସଦସ୍ୟ ବିଲ ନେଇ ପ୍ରସ୍ତାବ ଦେଇଛନ୍ତି। ଏହା ତାଲିକାଭୁକ୍ତ ହୋଇଛି। ସେ କହିଛନ୍ତି ଯେ ସରକାରୀ କାର୍ଯ୍ୟକ୍ରମରେ ଆମିଷ ଭୋଜନ ଉପରେ ନିଷେଧାଦେଶ ପାଇଁ ଜର୍ମାନୀର ପରିବେଶ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି କାରଣ ଏହାର ଜଳବାୟୁ ଏବଂ ବିଶ୍ୱ ତାପମାତ୍ରା ଉପରେ ବହୁତ ପ୍ରଭାବ ପଡୁଛି। ଭାରତରେ ମଧ୍ୟ ଆମେ ଆମିଷ ଭୋଜନ ଛାଡିବାକୁ ପଦକ୍ଷେପ ନେଇପାରିବା ବୋଲି ସେ କହିଛନ୍ତି।

ସେହିଭଳି ଭାଜପା ଏମ୍‌ପି ରମା ଦେବୀ ଘରୋଇ କ୍ଷେତ୍ରରେ ଲାଞ୍ଚ କାରବାର ବନ୍ଦ କରିବାକୁ ଏକ ବିଲ ଆଣିବାକୁ ଯାଉଛନ୍ତି। ଏଥି ସହ ପୂର୍ବତନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଏମ୍‌ପି ତିରଥ ସିଂ ରାୱତ ଦେଶର ସମସ୍ତ ବିଦ୍ୟାଳୟରେ ଯୋଗ ଆରମ୍ଭ କରିବା ପାଇଁ ଏକ ବିଲ ଆଣିବାକୁ ଯୋଜନା କରିଛନ୍ତି।

ଅନ୍ୟପକ୍ଷରେ କେରଳର ଦୁଇ ବିରୋଧୀ ଏମ୍‌ପି ଏନ.ପ୍ରେମଚନ୍ଦ୍ରନ ଏବଂ ଭି. କେ.ଶ୍ରୀକେନ୍ଦନ ମନେରଗା ଆକ୍ଟର ଧାରା ୩ରେ ସଂଶୋଧନ ପାଇଁ ଏକ ବିଲ ଆଣିବେ। ଏଥିରେ ଏକ ବ୍ୟବସ୍ଥା ଅଛି ଯେ ସରକାର ପ୍ରତ୍ୟେକ ଶ୍ରମିକଙ୍କୁ ଗୋଟିଏ ବର୍ଷରେ ସର୍ବାଧିକ ୧୦୦ ଦିନ ରୋଜଗାର ଦେବେ। ବିରୋଧୀ ୧୫୦ ଦିନ ପାଇଁ ଏହା କରିବାକୁ ଚାହୁଁଛନ୍ତି। ତେବେ ସରକାର ଏହି ଦାବିକୁ ପୂର୍ବରୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି।

Share